କେନ୍ଦ୍ରକୁ ଟାର୍ଗେଟ୍‌ କଲେ କେସିଆର୍‌, ଦିଲ୍ଲୀରେ ଧାରଣା ଦେବାକୁ ଧମକ

କେନ୍ଦ୍ରକୁ ଟାର୍ଗେଟ୍‌ କଲେ କେସିଆର୍‌, ଦିଲ୍ଲୀରେ ଧାରଣା ଦେବାକୁ ଧମକ

କେନ୍ଦ୍ରକୁ ଟାର୍ଗେଟ୍‌ କଲେ କେସିଆର୍‌, ଦିଲ୍ଲୀରେ ଧାରଣା ଦେବାକୁ ଧମକ

ହାଇଦ୍ରାବାଦ: କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ତେଲେଙ୍ଗାନା ରାଷ୍ଟ୍ର ସମିତି ନେତା ତଥା ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ପେଟ୍ରୋଲ, ଡିଜେଲ ଉପରେ ଲାଗୁଥିବା ସେସକୁ ଉଚ୍ଛେଦ, ୩ଟି ଯାକ କୃଷି ଆଇନକୁ ପ୍ରତ୍ୟାହାର କରିବା ଓ ରାଜ୍ୟରୁ ଧାନ ସଂଗ୍ରହ ଆଦି ଦାବିରେ କେସିଆର ସର୍ବଦଳୀୟ ବୈଠକ ନେତୃତ୍ୱ ନେବେ।

ଏହି ସର୍ବଦଳୀୟ ପ୍ରତିନିଧି ମଣ୍ଡଳ ଦିଲ୍ଲୀ ଯିବା ସହ ସେଠାରେ ଧାରଣାରେ ବସିବ। ଏମାନଙ୍କ ସହ ମୁଖ୍ୟମନ୍ତ୍ରୀ କେସିଆର ମଧ୍ୟ ସାମିଲ ହେବେ। ସେ ମଧ୍ୟ ଦିଲ୍ଲୀରେ ଧାରଣା ଦେବେ ବୋଲି ଘୋଷଣା କରିଛନ୍ତି। କେସିଆର କହିଛନ୍ତି, ଆମେ ବିଜେପି ବିରୋଧରେ ଲଢ଼େଇ କରିବୁ। ବିଜେପିର ବିଫଳତାର ପର୍ଦ୍ଦାଫାସ କରିବାକୁ ଆମେ ଦିଲ୍ଲର ରାଜରାସ୍ତାରେ ଧାରଣା ଦେବୁ। ଉଭୟ ଜାତୀୟ ଓ ତେଲେଙ୍ଗାନାରେ ବିକ୍ଷୋଭ କରାଯିବ।

କେନ୍ଦ୍ର ସରକାର ସମଗ୍ର ଦେଶକୁ ପେଟ୍ରୋଲ ଓ ଡିଜେଲ ଦର ବାବଦରେ ମିଛ କଥା କହି ବିଭ୍ରାନ୍ତ କରି ଚାଲିଛନ୍ତି। ସେମାନେ କେବଳ ମିଛ ଓ ସଂପ୍ରଦାୟିକ ରାଜନୀତି କରୁଛନ୍ତି। ବିଗତ ୭ ବର୍ଷ ମଧ୍ୟରେ ସେମାନେ କିଛି ବି କରିନାହାନ୍ତି। ୨୦୧୪ରେ ଅଶୋଧିତ ତୈଳ ଦର ୧୦୫ ଡଲାର ଥିଲା। ହେଲେ ଏବେ ଏହା ୮୩ ଡଲାର ରହିଛି। କିନ୍ତୁ ବିଜେପି ସରକାର ଅନ୍ତର୍ଜାତୀୟ ବଜାରରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିଛି ବୋଲି କହୁଛି।

ବିଜେପି ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଅତିରିକ୍ତ ସେସ୍ ଲଗାଇ ଏହାର ଦାମ ବଢ଼ାଇ ଚାଲିଛି। ସେସ୍ ବୃଦ୍ଧି କରୁଥିବା କେନ୍ଦ୍ର ସରକାର ତୈଳ ଉପରେ ରାଜ୍ୟର ଟିକସ ଭାଗ ମଧ୍ୟ ଦେଉନାହାନ୍ତି।

ତେଲେଙ୍ଗାନା ସରକାର ତୈଳ ଦର ଉପରେ ଲଗାଉଥିବା ଟିକସ ହ୍ରାସ କରିବେ ନାହିଁ ବୋଲି କେସିଆର ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ବିଗତ ୭ ବର୍ଷ ମଧ୍ୟରେ ତେଲେଙ୍ଗାନ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ କରୁଥିବା ଭ୍ୟାଟକୁ ଗୋଟିଏ ପଇସା ବି ବଢ଼ାଇ ନାହାନ୍ତି। ତୈଳ ଦର ଉପରେ କେନ୍ଦ୍ର ସରକାର ଲଗାଉଥିବା ସେସ୍କୁ ସଂପୂର୍ଣ୍ଣ ଉଚ୍ଛେଦ କରିବା ଦରକାର। ଏହାଦ୍ୱାରା ପେଟ୍ରୋଲର ଲିଟର ପିଛା ଦର ୭୭ ଟଙ୍କା ହୋଇପାରିବ ବୋଲି ସେ କହିଛନ୍ତି।

ବିଜେପି ସରକାରକୁ କେସିଆର କୃଷକ ବିରୋଧୀ ବୋଲି କହିଛନ୍ତି।