ପୌର ଆଇନରେ ସଂଶୋଧନ ହେବ !
ପୌର ଆଇନରେ ସଂଶୋଧନ ହେବ !
admin
Jun 19, 2019 - 04:53
Updated: Jun 19, 2019 - 04:53
ଭୁବନେଶ୍ୱର : ପୌର ନିର୍ବାଚନରେ ସଂରକ୍ଷଣକୁ ନେଇ ଚାଲିଥିବା ଲମ୍ବା ଆଇନଗତ ଲଢ଼େଇ ତୁଟି ନାହିଁ । ନିର୍ବାଚନ ହୋଇପାରୁନଥିବାରୁ ପ୍ରଶାସକଙ୍କ ହାତରେ ପୌର ସଂସ୍ଥାଗୁଡ଼ିକର ଭାଗ୍ୟ ଛାଡ଼ି ଦିଆଯାଇଛି । କିନ୍ତୁ ଏ ପଟେ ସରକାରୀ ୫୦% ଭିତରେ ସଂରକ୍ଷଣକୁ ସୀମିତ ରଖିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏ ନେଇ ଥିବା ଦୁଇଟି ଆଇନରେ ସଂଶୋଧନ କରିବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ସମ୍ଭବତଃ ଆସନ୍ତା ବିଧାନସଭା ଅଧିବେଶନରେ ସଂଶୋଧନ ପ୍ରସ୍ତାବ ଆସିପାରେ ।
ପ୍ରଚଳିତ ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ ୱାର୍ଡ ସ୍ତରରେ ଯେଉଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଛି, ସେଥିରେ ସଂରକ୍ଷଣର ପରିମାଣ ୫୦% ରୁ ଅଧିକ ହେଉଛି । ଏ ନେଇ ମାମଲା ହେବାରୁ ହାଇକୋର୍ଟ ୫୦ ପ୍ରତିଶତ ଭିତରେ ସଂରକ୍ଷଣ ବ୍ୟବସ୍ଥା ସୀମିତ ରଖିବାକୁ ନିର୍ଦ୍ଦେଶ ଦେଲେ । ସରକାର ଏହା ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ବି ହାଇକୋର୍ଟଙ୍କ ରାୟ ବଳବତ୍ତର ରହିଲା । ତାହା ପରେ ସରକାର ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି ।
ସରକାରୀଙ୍କ ପାଖରେ ବର୍ତ୍ତମାନ ଆଉ ଏକ ବିକଳ୍ପ ଖୋଲା ରହିଛି । ୫୦% ଭିତରେ ସଂରକ୍ଷଣ ସୀମିତ ରଖିବାକୁ ସୁପ୍ରିମକୋର୍ଟ ଦେଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ହେଲେ ଦୁଇଟି ଆଇନରେ ସଂଶୋଧନ ଆବଶ୍ୟକତା ରହିଛି । ଓଡ଼ିଶା ମ୍ୟୁନିସିପାଲଟି ଆକ୍ଟ ୧୯୫୦ ଓ ଓଡ଼ିଶା ମ୍ୟୁନିସପାଲ କର୍ପୋରେସନ ଆକ୍ଟ ୧୦୦୩ ରେ ସଂଶୋଧନ ଆଣିବାକୁ ପଡ଼ିବ । କାରଣ ଏହି ଦୁଇଟି ଆଇନରେ ଥିବା ସଂରକ୍ଷଣ ବ୍ୟବସ୍ଥା ଅନୁଯାୟୀ ପୌରସଂସ୍ଥାରେ ୱାର୍ଡ ସଂରକ୍ଷଣ କରାଯାଉଛି । ଦୀର୍ଘ ବର୍ଷ ଧରି ଏହା ଜାରି ରହିଛି ।
ବର୍ତ୍ତମାନ ସରକାର ଏହି ବିକଳ୍ପ ଉପରେ ପ୍ରକିୟା ଆରମ୍ଭ କରିଛନ୍ତି । ଦୁଇଟି ଆଇନରେ ସଂଶୋଧନ ଆଣିବାକୁ ପ୍ରସ୍ତାବ ଦିଆଯାଇଛି । ଏ ନେଇ ବିଭାଗ ପକ୍ଷରୁ ମନ୍ତ୍ରୀଙ୍କ ନିକଟକୁ ଫାଇଲ ଯାଇଛି । ତେଣୁ ଆସନ୍ତା ବିଧାନସଭା ଅଧିବେଶନରେ ଏ ସଂକ୍ରାନ୍ତୀୟ ପ୍ରସ୍ତାବ ଆଗତ ହେବାର ସମ୍ଭାବନା ରହିଛି । ଯଦି ବିଧାନସଭାରେ ତାହା ପାରିତ ହୁଏ, ତାହା ପରେ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ଯିବା ସଂଶୋଧିତ ଆଇ ଅନୁଯାୟୀ ପୌର ସଂସ୍ଥା କର୍ତ୍ତୃପକ୍ଷ ଆସନ ସଂରକ୍ଷଣ ତାଲିକା ପ୍ରସ୍ତୁତ କରିବେ ।
ତେଣୁ ଏହା ଏକ ଲମ୍ବା ସମ୍ବିଧାନ ପ୍ରକ୍ରିୟା ହୋଇଥିବାରୁ ପୌର ନିର୍ବାଚନ ଆଉ କିଛି ମାସ ବିଳମ୍ବ ହେବାର ସମ୍ଭାବନା ରହିଛି । ଚଳିତ ବର୍ଷ ଶେଷ ଆଡ଼କୁ କିମ୍ବା ୨୦୨୦ ଆରମ୍ଭରେ ପୌର ନିର୍ବାଚନ ହୋଇପାରେ । ଗତ ସେପ୍ଟେମ୍ବର ମାସରୁ ବର୍ତ୍ତମାନ ମଧ୍ୟରେ ଯେତେବେଳେ ଯେଉଁ ପୌରସଂସ୍ଥା କାର୍ଯ୍ୟକାଳ ଶେଷ ହେଉଛି ସେଠାରେ ପ୍ରଶାସକ ନିଯୁକ୍ତି ଦିଆଯାଇଛି । ୨୦୧୮ ମସିହା ସେପ୍ଟେମ୍ବର ୨୯ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୬୬ ପୌରସଂସ୍ଥାର କାର୍ଯ୍ୟକାଳ ଶେଷ ହୋଇଥିଲେ ଓ ସେଠାରେ ପ୍ରଶାସକ ନିଯୁକ୍ତି କରାଯାଇଥିଲା । ତାହା ପରେ ବିଭିନ୍ନ ପର୍ଯ୍ୟାୟରେ ଅନ୍ୟ ପୌରସଂସ୍ଥାରେ ପ୍ରଶାସକ ନିଯୁକ୍ତି କରାଯାଇଛି । ନିର୍ବାଚନ ନିର୍ଦ୍ଧାରିତ ସମୟରେ ହୋଇଥିଲେ ବିଭିନ୍ନ ପୌର ସଂସ୍ଥାର ନିର୍ବାଚନ ଭିନ୍ନ ଭିନ୍ନ ସମୟରେ ହୋଇଥାନ୍ତା । ଯେହେତୁ ବହୁ ସଂସ୍ଥାର କାର୍ଯ୍ୟକାଳ ଏହା ମଧ୍ୟରେ ଶେଷ ହେଲାଣି, ତେଣୁ ଏକା ସଙ୍ଗେ ବଡ ଧରଣର ପୌର ନିର୍ବାଚନ ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ସୁଦ୍ଧା ପାଖାପାଖି ୧୦୦ ମହାନଗର ନିଗମ, ପୌରପାଳିକା ଓ ଏନଏସିରେ ପ୍ରଶାସନ ନିଯୁକ୍ତି ହୋଇସାରିଲାଣି ।