ବର୍ଷକୁ ଥରେ ରଜ ସମୟରେ ନାରୀ ପରି ମାଟି ମା’ ଋତୁମତି ହୋଇଥାଏ
ବର୍ଷକୁ ଥରେ ରଜ ସମୟରେ ନାରୀ ପରି ମାଟି ମା’ ଋତୁମତି ହୋଇଥାଏ
admin
Jun 9, 2021 - 11:32
Updated: Jun 9, 2021 - 11:32
ଅନନ୍ୟ ଓ ଅନୁପମ ଓଡିଶାର ପରମ୍ପରା ଓ ସଂସ୍କୃତି । ଏଠି ୧୨ ମାସରେ ୧୩ ପର୍ବ । ପିଠାପଣାର ବାସ୍ନାରେ ଆମ ଘର ଆପଣାର ବାସେ । ଏହି ସ୍ୱର୍ଣ୍ଣିମ ଓଡିଶାର ଜାତୀୟ ପର୍ବ ହେଉଛି ରଜ । ଏହି କୃଷିଭିତ୍ତିକ ତଥା ଗଣପର୍ବ ରଜକୁ ସାରା ଓଡିଶାର ଆବାଳବୃଦ୍ଧବନିତା ଖୁବ୍ ଧୁମଧାମ୍ରେ ପାଳନ କରନ୍ତି । ଜ୍ୟେଷ୍ଠ ଆଷାଢର ମେଘ ଝୁଲଣାରେ ଝୁଲି ଝୁଲି ଆସେ ରଜ । ଏହି ସମୟରେ ମାଟି ସହିତ ମେଘର ହୁଏ ଅପୂର୍ବ ମିଳନ । ନିଜକୁ ଶସ୍ୟଶାମଳା ଓ ଫଳବତୀ କରିବାର ଆକାଂକ୍ଷା ଜାଗେ ଧରିତ୍ରୀ ମାଟିରେ । ଏହି ସମୟରେ ନାରୀ ଓ ସର୍ବଂସ୍ୱାହା ଧରିତ୍ରୀ ଉଭୟ ସମାନ ହୋଇଥାନ୍ତି । ନାରୀଟିଏ ଯେପରି ସବୁକଷ୍ଟ ସହି ଜନନୀ ହୋଇ ନିଜର ସନ୍ତାନକୁ ଧରା ପୃଷ୍ଠକୁ ଆଣି ତାକୁ ଲାଳନ ପାଳନ କରିଥାଏ । ପ୍ରକୃତିବି ଠିକ ସେହିପରି ନିଜ ଠାରେ ବୀଜ ଅଙ୍କୁରିତ କରେ, ଫୁଲ ଧରେ ଓ ଫଳ ଫଳାଏ । ଜୀବଜଗତକୁ ବଞ୍ଚିବା ପାଇଁ ବାଟ ଦେଖାଏ । ମାଟି ମା କୁ ହାଣ, ମାର, ପୂଜାକର, ସେ କିଛି ପ୍ରତିବାଦ କରେନି । କିନ୍ତୁ ଋତୁ ଚକ୍ରରେ ବଦଳିଯାଏ ତା’ର ଚିତ୍ର ଓ ଚରିତ୍ର । ବର୍ଷକୁ ଥରେ ଏହି ରଜ ସମୟରେ ନାରୀ ପରି ମାଟି ମା’ ଋତୁମତି ହୋଇଥାଏ । ତାକୁ ବିଶ୍ରାମ ଲୋଡା ହୋଇଥାଏ । ଏହି ସମୟରେ ତାକୁ ଛୁଇଁବା, କ୍ଷତାକ୍ତ କରିବା ମନା । ଏହି ସମୟରେ ସେ ନିଜକୁ ପ୍ରସ୍ତୁତ କରେ ସମାଜର ସୁଖଦ ଭବିଷ୍ୟତ ପାଇଁ । ସଜବାଜ ଠାରୁ ଆରମ୍ଭ କରି, ପହିଲି ରଜ, ରଜ ସଂକ୍ରାନ୍ତି, ଭୂମି ଦହନ ପରେ ଆସେ ବସୁମତି ସ୍ନାନ । ଏହି ଦିନ ହଳଦୀ ପାଣିରେ ଶୁଦ୍ଧ ସ୍ନାନ କରନ୍ତି ଧରିତ୍ରୀ ମା’ । ନୂଆ ପିଢା, ନୂଆ ଲୁଗା,ଶିଳପୂଆ, ଳଙ୍ଗଳ ଲୁହା,ଚନ୍ଦନ, ସିନ୍ଦୁର, ଭୋଗ, ନୈବେଦ୍ୟ ଅର୍ପଣ କରି କୁହାଯାଏ, “ହେ ମା ତୁମେ ପ୍ରସବିନୀ ହୁଅ, ଶସ୍ୟଶ୍ୟାମଳା ରେ ପୁରି ଉଠୁ ଏହି ଧରା” । ବର୍ଷକ ସାରା ଜଗତ ଉପରେ କୃପାଦୃଷ୍ଟି ରଖିଥାଅ । ଏହି ଦିନ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ ।