ବୈଜୟନ୍ତଙ୍କ କଥା ରଖିଲାନି ‘ଇମ୍ଫା’ !

ବୈଜୟନ୍ତଙ୍କ କଥା ରଖିଲାନି ‘ଇମ୍ଫା’ !

ବୈଜୟନ୍ତଙ୍କ କଥା ରଖିଲାନି ‘ଇମ୍ଫା’ !
ଭୁବନେଶ୍ୱର : ଶୀର୍ଷକଟି ନିଶ୍ଚିତ ଭାବେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । କାହା ମନରେ ଏହାର ସତ୍ୟତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇପାରେ । ହେଲେ ବୈଜୟନ୍ତ ପଣ୍ଡାଙ୍କ ଆଭିମୁଖ୍ୟ ଓ ‘ଇମ୍ଫା’ର ଆଭିମୁଖ୍ୟକୁ ଅନୁଶୀଳନ କଲେ ଯେକେହିବି ଏହାକୁ ସ୍ୱୀକାର କରିବା ପାଇଁ ବାଧ୍ୟ ହେବ । ବାତ୍ୟା ବନ୍ୟା ବେଳେ ବୈଜୟନ୍ତ ପଣ୍ଡାଙ୍କର ରିଲିଫ କାର୍ଯ୍ୟ ନିଶ୍ଚିତ ଭାବେ ପ୍ରଶଂସନୀୟ । ଆକାଶମାର୍ଗରେ ହେଲିକପ୍ଟର ଉଡ଼ାଇ ସେ ଅପହଁଚ ଇଲାକାରେ ବି ରିଲିଫ ବଂଟନ କରନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବାକୁ ଅନୁରୋଧ କରନ୍ତି । ଖାଲି ଓଡ଼ିଶାର ବିପର୍ଯ୍ୟୟ ବେଳେ ନୁହେଁ ଅନ୍ୟ ରାଜ୍ୟର ବିପର୍ଯ୍ୟୟ ବେଳେବି ସେ ସେହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବା ପାଇଁ ଅନୁରୋଧ କରିବାର ନଜିର ରହିଛି । କିନ୍ତୁ ବାତ୍ୟା ‘ଫନି’ ବେଳେ ଏକ ବିଲକ୍ଷଣ ଦେଖିବାକୁ ମିଳିଥିଲା । ନିଜ ଟ୍ୱିଟରେ ବୈଜୟନ୍ତ କୌଣସି ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବା ପାଇଁ ଉଲ୍ଲେଖ କରିନାହାନ୍ତି । ବରଂ ସେ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବା ପାଇଁ ଉଲ୍ଳେଖ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଯେଉଁ ଅର୍ଥ ଆସିଥାଏ ସାଧାରଣତଃ ତାହା ରାଜ୍ୟରେ ଖର୍ଚ୍ଚ ହୋଇଥାଏ । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଯଦି କେହି ଫନିରେ ସହାୟତା ପ୍ରଦାନ କରେ ତେବେ ତାହା ଓଡ଼ିଶାରେ ସମ୍ପୂର୍ଣ୍ଣ ଭାବେ ଖର୍ଚ୍ଚ ହେବବୋଲି କୁହାଯାଇପାରିବ ନାହିଁ । ଏହା ବୈଜୟନ୍ତ ମଧ୍ୟ ଭଲଭାବେ ଜାଣିଥିବେ । ସ୍ୱାଭାବିକ ଭାବେ ବୈଜୟନ୍ତଙ୍କ ଏଭଳି ଆଭିମୁଖ୍ୟକୁ ନେଇ ସନେ୍ଦହ ସୃଷ୍ଟି ହୋଇଛି । ବୋଧହୁଏ ମୁଖ୍ୟମନ୍ତ୍ରୀଙ୍କ ସହ ବ୍ୟକ୍ତିଗତ ତିକ୍ତତା କାରଣରୁ ବାତ୍ୟା ବେଳେ ମଧ୍ୟ ବୈଜୟନ୍ତ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବାକୁ ଉତ୍ସାହିତ କରିଛନ୍ତି ବୋଲି କୁହାଯାଇପାରେ । ବୈଜୟନ୍ତଙ୍କ ଏଭଳି ଆଭିମୁଖ୍ୟରୁ ପ୍ରଥମେ ଅନୁମାନ କରାଯାଉଥିଲା ତାଙ୍କ ପରିବାର ଦ୍ୱାରା ପରିଚାଳିତ ଇମ୍ଫା ମଧ୍ୟ ସମାନ ପନ୍ଥା ଆପଣାଇବ । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ବଦଳରେ କମ୍ପାନୀ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରିବ । ଏଠାରେ ଆଉ ଏକ ପ୍ରସଙ୍ଗର ଅବତାରଣା କରାଯାଇପାରେ । ବୈଜୟନ୍ତଙ୍କ କେତେକ ସମର୍ଥକ ଓ ବୁଦ୍ଧୀଜୀବୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅର୍ଥ ନଦେବା ପାଇଁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିବା ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅର୍ଥ ଦେଲେ ତାହା କାଳିଆ ଯୋଜନାରେ ଖର୍ଚ୍ଚ ହୋଇଯିବ ବୋଲି ଏକ ଧାରଣା ସୃଷ୍ଟି କରିଥିଲେ । ଅବଶ୍ୟ ଏଭଳି ଧାରଣା ସୃଷ୍ଟି କରିବା ପଛରେ ନବୀନଙ୍କର ମଧ୍ୟ ପରୋକ୍ଷରେ ହାତ ରହିଛି । ଯେଉଁଭଳି ଭାବେ ନିର୍ବାଚନକୁ ଆଖିଆଗରେ ରଖି ଜରୁରୀକାଳୀନ ପାଣ୍ଠିର ଅର୍ଥ କାଳିଆ ଯୋଜନାରେ ଖର୍ଚ୍ଚ କରାଗଲା ତାହାବି ଗ୍ରହଣୀୟ ନୁହେଁ କହିଲେ ଭୁଲ ହେବନାହିଁ । ତେବେ ସେ ଯାହାହେଉନା କାହିଁକି ବୈଜୟନ୍ତ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଅର୍ଥ ଦାନ ପାଇଁ ଅପିଲ କରିଥିଲେ ମଧ୍ୟ ଇମ୍ଫା ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୭୫ ଲକ୍ଷ ଟଙ୍କା ଦିଆଯାଇଛି । ଖାଲି ଅର୍ଥ ଦିଆଯିବା ନାହିଁ ବରଂ ଇମ୍ଫାର ପରିଚାଳନା ନିଦେ୍ର୍ଧଶକ ଶୁଭ୍ରକାନ୍ତ ପଣ୍ଡା ଅନ୍ୟ କର୍ପୋରେଟ ହାଉସଗୁଡ଼ିକୁ ମଧ୍ୟ ଅର୍ଥ ଦେବା ପାଇଁ ଆହ୍ୱାନ ଜଣାଇଛନ୍ତି ।