ଭୋଟର ନୀରବ, ଟେନସନରେ ନେତା

ଭୋଟର ନୀରବ, ଟେନସନରେ ନେତା

ଭୋଟର ନୀରବ, ଟେନସନରେ ନେତା
ଭୁବନେଶ୍ୱର : ୨୦୧୯ ନିର୍ବାଚନରେ ବିଲକ୍ଷଣ ପରିଲକ୍ଷିତ ହୋଇଛି । ଅତୀତରେ ଯେତେ ସବୁ ନିର୍ବାଚନ ହୋଇଛି ଭୋଟ ଗଣତି ପୂର୍ବରୁ ନେତା ନିଜେ ବିଜୟୀ ହେବକି ନାହିଁ ଜାଣିପାରିଥାଏ । ଅବଶ୍ୟ କଡ଼ା ଟକ୍କର କ୍ଷେତ୍ରରେ ଆଶା ଆଶଙ୍କା ଭିତରେ ଗତି କରିବାକୁ ପଡ଼ିଥାଏ । କିନ୍ତୁ ଏଥର କିନ୍ତୁ ସେଭଳି ଅଙ୍କ କଷି ହେଉନାହିଁ । ଭୋଟରଙ୍କ ଅହେତୁକ ନୀରବତା ଏବେ ସମସ୍ତଙ୍କୁ ଟେନସନରେ ପକାଇ ଦେଇଛି । ଲୋକେ କାହାକୁ ଭୋଟ ଦେଉଛନ୍ତି ତାହାର ନାଡ଼ି କେହି ଠଉରାଇ ପାରୁନାହାନ୍ତି । କେତେକ ରାଜନୀତିକ ସମୀକ୍ଷକ ପରିବର୍ତନ ସପକ୍ଷରେ ମତ ଯାଇଥିବା କହୁଥିବାବେଳେ ଅନ୍ୟ କେତେକ ସ୍ଥିତାବସ୍ଥା ଦିଗରେ ଭୋଟ ଯାଇଥିବା ମତବ୍ୟକ୍ତ କରୁଛନ୍ତି । ଅନ୍ୟ କେତେକଙ୍କ ମତରେ ଭୋଟ ଦୁଇଟି ଦିଗ ଦେଇ ଗତି କରିଛି । ରାଜ୍ୟରେ ଶଙ୍ଖ ଓ କେନ୍ଦ୍ରରେ ପଦ୍ମଫୁଲ ପାଇଁ ଭୋଟ ଯାଇଥିବା କଥା କୁହାଯାଉଛି । ୨୦୦୦ ଓ ୨୦୦୪ ନିର୍ବାଚନରେ ବିଜେଡି ଓ ବିଜେପି ମେଂଟ ହୋଇ ଲଢ଼ୁଥିଲେ । ସେତେବେଳେ କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ହାୱା ଥିବା ବେଳେ ରାଜ୍ୟରେ ନବୀନଙ୍କ ନିର୍ମଳ ଭାବମୂର୍ତି କାଏମ ରହିଥିଲା । ଅପରପକ୍ଷରେ ଦୁର୍ନୀତି ଓ ସ୍ୱେଚ୍ଛାଚାରିତା ପାଇଁ ଓଡ଼ିଶାବାସୀଙ୍କ ଆସ୍ଥା ହରାଇଥିବା କଂଗ୍ରେସ ଉଭୟ ବିଜେଡି ଓ ବିଜେପି ସହ ଲଢେ଼ଇ କରିଥିଲା । ତେବେ ବିଜେଡି ଓ ବିଜେପି ମେଂଟ କଂଗ୍ରେସକୁ ଧରାଶାୟୀ କରିଥିଲା । ଗାଏମୋଟ ଦେଖିଲେ ଏହି ଦୁଇଟି ସାଧାରଣ ନିର୍ବାଚନ ଦୁଇ ଦଳ ପାଇଁ ଏକ ସହଜ ବିଜୟ ଥିଲା । ତେବେ ୨୦୦୯ ମସିହାରେ ସମସ୍ତଙ୍କୁ ଚକିତ କରି ବିଜେପିର ହାତ ଛାଡ଼ିଦେଇଥିଲା ବିଜେଡି । ସେତେବେଳେ ଅନେକ ରାଜନୈତିକ ବିଶ୍ଳେଷକମାନେ ବିଜେଡିର ଏଭଳି ନିଷ୍ପତି ବୁମେରାଂ ହେବ ବୋଲି ଅନୁଶୀଳନ କରବାକୁ ବାଧ୍ୟ ହୋଇଥିଲେ । କାହିଁକି ନା ସମସ୍ତଙ୍କର ୧୯୯୫ ନିର୍ବାଚନ କଥା ମନେ ପଡ଼ିଯାଇଥିଲା । ୧୯୯୫ରେ ଯତକିଂଚିତ ଭୋଟଥିବା ବାମପନ୍ଥୀଙ୍କ ହାତଛାଡ଼ି ଦେଇଥିଲେ ବିଜୁବାବୁ । ଯେଉଁଥିପାଇଁ ତାଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିଥିଲା । ୧୨୩ ଆସନ ପାଇଥିବା ବିଜୁଙ୍କ ଜନତା ଦଳ ୯୫ରେ କ୍ଷମତାରୁ ହଟିଯାଇଥିଲା । ଫଳରେ ୨୦୦୯ରେ ରାଜ୍ୟ ରାଜନୀତିରେ ଅନୁରୂପ ଅନୁଶୀଳନମାନ ଘୂରି ବୁଲିଥିଲା । ଗୋଟିଏ ପଟେ କଂଗ୍ରେସ ଲଢ଼ୁଥିବା ବେଳେ ଅପରପକ୍ଷରେ ବିଜେଡି ବିରୋଧରେ ବିଜେପି ଲଢ଼ିଥିଲା । ନିର୍ବାଚନର ଫଳାଫଳ କ’ଣ ହେବ ସେ ନେଇ ଅନେକ ସନ୍ଦିହାନ ଥିଲେ । ଏମିତିକି ସେତେବେଳେ ବିଜେଡିର ଅନେକ ନେତା ମାର୍ଗଦର୍ଶକ ପ୍ୟାରୀମୋହନ ମହାପାତ୍ର ଓ ସୁପି୍ରମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତିକୁ ହଜମ କରିପାରିନଥିଲେ । ତେବେ ନିର୍ବାଚନ ଫଳାଫଳ କିନ୍ତୁ ସମସ୍ତଙ୍କୁ ଚକିତ କରିଦେଇଥିଲା । ବିଜେପି ହାତ ଛାଡ଼ିବା ପରେ ସେଂଚୁରୀ ମାରିଥିଲା ବିଜେଡି । ଏହିପରି ଭାବେ ତିନୋଟି ନିର୍ବାଚନରେ ହ୍ୟାଟି୍ରକ ମାରି ନବୀନ ରେକର୍ଡ କରିଥିଲେ । ଅପରପକ୍ଷରେ କେନ୍ଦ୍ରରେ ୨୦୦୪ ଓ ୨୦୦୯ରେ କଂଗ୍ରେସ ସରକାର ଥିଲା । ସମସ୍ତେ ଭାବୁଥିଲେ କେନ୍ଦ୍ର ସରକାରଙ୍କ ଆଶାବାଡ଼ି ଧରି ରାଜ୍ୟରେ ପଙ୍ଗୁ କଂଗ୍ରେସ ବାଟ ଚାଲିପାରିବ । କିନ୍ତୁ ସେଭଳି କିଛି ଦେଖିବାକୁ ମିଳିନଥିଲା । କିନ୍ତୁ ୨୦୧୪ ନିର୍ବାଚନରେ ହଠାତ ସାରା ଭାରତରେ ମୋଦି ଲହର ଖେଦି ଯାଇଥିଲା । ଯାହାର ପ୍ରଭାବ ଓଡ଼ିଶାରେ ପଡ଼ିବ ବୋଲି ଅନେକ ଅନୁମାନ କରୁଥିଲେ । ହ୍ୟାଟି୍ରକ ମାରିଥିବା ବିଜେଡି ୨୦୧୪ରେ ଝୁଂଟିପଡ଼ିବ ବୋଲି ଅନେକ ରାଜନୈତିକ ସମୀକ୍ଷକ ଅନୁମାନ କରୁଥିଲେ । କାହିଁକି ନା ସେତେବେଳକୁ ୧୪ବର୍ଷର ଶାସନ ପାଇଁ ସ୍ୱାଭାବିକ ଭାବେ ସରକାରୀ ବିରୋଧୀ ହାୱା ବହିବ ବୋଲି କୁହାଯାଉଥିଲା । ଖାଲି ସେତିକି ନୁହେଁ, ରାଜ୍ୟ ସରକାରଙ୍କ ବିରୋଧରେ ଗଦା ଗଦା ପ୍ରସଙ୍ଗ ଠୁଳ ମଧ୍ୟ ହୋଇଥିଲା । ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ନବୀନ ଦୁର୍ନୀତି ବିରୋଧୀ ମାସ୍କଟ ବୋଲି ବିବେଚିତ ହେଉଥିଲେ । କିନ୍ତୁ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ବିଜେଡିର ଅନେକ ମନ୍ତ୍ରୀ ଦୁର୍ନୀତି ପ୍ରସଙ୍ଗରେ ଛନ୍ଦି ହୋଇଯାଇଥିଲେ ମଧ୍ୟ ପୂର୍ବ ଭଳି ସେମାନଙ୍କ ବିରୋଧରେ ନବୀନ କଡ଼ା ପଦକ୍ଷେପ ଗ୍ରହଣ କରିପାରିନଥିଲେ । ଯେଉଁଥିପାଇଁ ୨୦୧୪ରେ ମଧ୍ୟ ନବୀନ ସରକାର ଆସିବା କଷ୍ଟକର ହୋଇଯିବ ବୋଲି କୁହାଯାଉଥିଲା । ଅପରପକ୍ଷରେ ମୋଦିଙ୍କ ହାୱାକୁ ପାଥେୟ କରି ବିଜେପି ମଧ୍ୟ ଆଶାତୀତ ସଫଳତା ପାଇବା ପାଇଁ ଅଙ୍କକଷିଥିଲା । ୨୦୧୪ରେ ସାରା ଦେଶରେ ମୋଦି ଲହର କେନ୍ଦ୍ରରେ ରେକର୍ଡ ସୃଷ୍ଟି କରିଥିଲା । ପାଖାପାଖି ତିନି ଦଶନ୍ଧି ପରେ ଗୋଟିଏ ଦଳକୁ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ମିଳିଥିଲା । ତେବେ ଦେଶରୁ ମୁଡ ମୋଦି ମୁହାଁ ହୋଇଥିଲେ ମଧ୍ୟ ରାଜ୍ୟର ମୁଡ ନବୀନ ମୁହାଁ ହୋଇଥିଲା । ଓଡ଼ିଶାର ଫଳାଫଳ ସମସ୍ତଙ୍କୁ ଚକିତ କରିଦେଇଥିଲା । ବିଜେଡି ନେତା ଯେମିତି ବିସ୍ମୀତ ହୋଇଥିଲେ ମୋଦି ମଧ୍ୟ ସେମିତି ଆଚମ୍ବିତ ହୋଇଯାଇଥିଲେ । ନିର୍ବାଚନରେ ଦଳକୁ ମାତ୍ର ଗୋଟିଏ ଲୋକସଭା ଓ ୧୦ ବିଧାନସଭା ଆସନ ମଧ୍ୟରେ ସୀମିତ ରହିବାକୁ ପଡ଼ିଥିଲା । ତେବେ ଏସବୁ ସତ୍ୱେ ବିଜେପି ପାଇଁ ଆଶ୍ୱସ୍ତିର କାରଣ ଥିଲା ଅର୍ଦ୍ଧାଧିକ ଲୋକସଭା ଆସନରେ ଦଳ ଦ୍ୱିତୀୟ ସ୍ଥାନ ଅଧିକାର କରିପାରିଥିଲା । ସମ୍ବଲପୁର, ବରଗଡ଼ ଭଳି କେତେକ ଆସନରେ ଅଳ୍ପ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲା । ୨୦୧୪ ପରେ ପରେ ବିଜେପି ଅତ୍ୟନ୍ତ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରିଥିଲା । କିନ୍ତୁ ମୋଦି ଲହରକୁ ପ୍ରତିହତ କରିଥିବା ବିଜୁ ଜନତା ଦଳ ସଂଗଠନ ପ୍ରତି ନଜର ଅନ୍ଦାଜ କରିଥିବା ଦେଖିବାକୁ ମିଳିଥିଲା । ନବୀନ ଭରସାରେ ବିଜେଡିର ତୃଣମୂଳସ୍ତରର କର୍ମୀ ଓ ନେତାମାନେ ବସିପଡ଼ିଥିଲେ । ଯାହାର ପରିଣାମ ୨୦୧୭ ପଂଚାୟତ ନିର୍ବାଚନରେ ଭୋଗିବାକୁ ପଡ଼ିଥିଲା । ଯେଉଁ ଯେଉଁ ସ୍ଥାନରେ ବିଜେପିର କିଛି ସ୍ଥିତି ହିଁ ନଥିଲା ସେଠାରେ ଜିଲ୍ଲା ପରିଷଦ ସିଟ ଜିଣି ବିଜେଡି ମନରେ ଛନକା ପୂରାଇଦେଇଥିଲା ବିଜେପି । ବିଜେପିର ଏହି ଆଶାତୀତ ସଫଳତା ଦଳୀୟ କର୍ମୀମାନଙ୍କୁ ବେଶ ଉତ୍ସାହିତ କରିବା ସହିତ ୨୦୧୯ ବିଜୟର ବାସ୍ନା ବାରିଥିଲା । କିନ୍ତୁ ପରେପରେ ସାଂଗଠନିକ ଦୋଷତ୍ରୁଟିକୁ ସଜାଡ଼ି ନେଇ ପୁଣି ନବୀନ ସକି୍ରୟ ହୋଇପଡ଼ିଥିଲେ । ଫଳରେ ଧୀରେଧୀରେ ଦଳର ସ୍ଥିତି ପଂଚାୟତ ନିର୍ବାଚନ ତୁଳନାରେ ମଜଭୁତ ହୋଇପାରିଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା ବିଜେପୁର ଉପନିର୍ବାଚନ । ବିଜେପି ପାଇଁ ବିଜେପୁର ଥିଲା ପଂଚାୟତ ନିର୍ବାଚନ ସଫଳତାର ସ୍ମାରକ । କିନ୍ତୁ ଉପନିର୍ବାଚନରେ ଉକ୍ତ ସ୍ମାରକକୁ ଭାଙ୍ଗି ନବୀନ ତାହାକୁ ବିଜେଡି ଦୁର୍ଗରେ ପରିଣତ କରିଦେଇଥିଲେ । ଏସବୁକଥା ଉଲ୍ଲେଖ କରିବାର କାରଣ ହେଉଛି ୨୦୧୭ ପଂଚାୟତ ନିର୍ବାଚନ ଯେଭଳି ବିଜେପିକୁ ଅପ୍ରତ୍ୟାଶିତ ସଫଳତା ଦେଇଥିଲା ବିଜେପୁର ଉପନିର୍ବାଚନ ମଧ୍ୟ ବିଜେପିକୁ ଶକ୍ତ ଧକ୍କା ଦେଇଥିଲା । ସେବେଠାରୁ ଅନେକ ରାଜନୈତିକ ସମୀକ୍ଷକଙ୍କ ଧାରଣା ହୋଇଥିଲା ଯେ ପଂଚାୟତ ନିର୍ବାଚନରେ ଯାହା ଫଳାଫଳ ହୋଇଥିଲା ତାହାର କୌଣସି ମାନେ ହିଁ ନାହିଁ । କେତେକଙ୍କ ଧାରଣା ଥିଲା ୨୦୧୪ରେ ମୋଦି ଲୋକପି୍ରୟତାର ଚରମ ସୋପାନରେ ପହଁଚିଥିଲା ବେଳେ ଯଦି ତାହା ଓଡ଼ିଶା ରାଜନୀତିକୁ ପ୍ରଭାବିତ କରିପାରିନଥିଲା ତେବେ ୨୦୧୯କୁ କିଭଳି ପ୍ରଭାବିତ କରିବ? ଏଭଳି ଏକ ପ୍ରଶ୍ନ ସୃଷ୍ଟି ହେବା ସ୍ୱାଭାବିକ । ଇତି ମଧ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇସାରିଛି । ସୋମବାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ମଧ୍ୟ ଶେଷ ହୋଇଯିବ । ଆଉ ଏହା ସହିତ ଅନେକ ରାଜନେତାଙ୍କର ଭବିଷ୍ୟତ ମାସକ ପାଇଁ ଇଭିଏମରେ ସିଲ ହୋଇଯାଇଛି । ଏବେ ଆସିବା ମୂଳ ପ୍ରସଙ୍ଗକୁ । ୨୦୧୯ ନର୍ବାଚନ ଫଳାଫଳ କ’ଣ ହେବ? ପ୍ରଥମ ପର୍ଯ୍ୟାୟ ଶେଷ ହେବା ପରଠାରୁ ଅନେକ ଆକଳନ କରିବାର ଭରପୁର ପ୍ରୟାସ କରିଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା କୌଣସି ରାଜନୈତିକ ଦଳ କିମ୍ବା ରାଜନୈତିକ ସମୀକ୍ଷକ ପ୍ରକୃତ ଚିତ୍ର ପାଇବାରେ ସମର୍ଥ ହୋଇନାହାନ୍ତି । ତୃଣମୂଳସ୍ତରର କର୍ମୀମାନେ ମଧ୍ୟ ବୁଥରେ କେଉଁ ଦଳକୁ କେତେ ଭୋଟ ମିଳିଛି ତାହା ସ୍ପଷ୍ଟଭାବେ କହିପାରୁନାହାନ୍ତି । ତାହାର କାରଣ ହେଉଛି ଗୋଟିଏ ପଟେ ନବୀନଙ୍କ ପ୍ରତି ଜନ ସାଧାରଣଙ୍କ ଯେମିତି ଆସ୍ଥା ରହିଛି ଅପରପକ୍ଷରେ ମୋଦିଙ୍କ ଉପରେ ମଧ୍ୟ ସେଭଳି ଆସ୍ଥା ରହିଛି । ଫଳରେ ବିଧାନସଭା ଭୋଟ ବିଜେଡିକୁ ଯାଇଥିବା ବେଳେ ଲୋକସଭା ଭୋଟଟି ବିଜେପିକୁ ଯାଇଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅତୀତରେ ଏଭଳି ସ୍ଥିତି କେବେ ଦେଖିବାକୁ ମିଳିନଥିଲା । କାହିଁକି ନା ପାଖାପାଖି ଅର୍ଦ୍ଧାଧିକ ଭୋଟର ନେତାଙ୍କୁ ଚିହ୍ନି ଓ ପରଖି ଭୋଟ ଦେବା ଭଳି ମନେହୁଏନାହିଁ । ସେମାନେ କେବଳ ଚିହ୍ନକୁ ଭୋଟ ଦିଅନ୍ତି । ଅନେକ ମଧ୍ୟ ବୁଥରେ କେଉଁଟି ଲୋକସଭା ପ୍ରାର୍ଥୀ ଓ କେଉଁଟି ବିଧାନସଭା ପ୍ରାର୍ଥୀଙ୍କ ଇଭିଏମ ମେସିନ ତାହା ମଧ୍ୟ ଜାଣିପାରନ୍ତି ନାହିଁ । ଏଭଳି ସ୍ଥିତିରେ ଯଦି ଜଣେ ଭୋଟର କେନ୍ଦ୍ରରେ ମୋଦି ଓ ରାଜ୍ୟରେ ନବୀନଙ୍କୁ ଦେଖିବାକୁ ଚାହେଁ ସେ କେଉଁ ମେସିନରେ କେଉଁ ବଟନ ଚିପିଲା ତାହା ସନେ୍ଦହ ସୃଷ୍ଟି ହେବା ସ୍ୱାଭାବିକ । ଅନେକ ବୁଥରେ ଆମେ ଏହାର ବିକଳ ଚିତ୍ର ଦେଖିବାକୁ ପାଇଛୁ । ଭୋଟ୍ ଦେଇ ସାରିବା ପରେ ସାଧାରଣତଃ ଭୋଟରର ଆଭିମୁଖ୍ୟକୁ ଦେଖି ଭୋଟ କୁଆଡେ଼ ଗଲା ଜଣେ ରାଜନୈତିକ କର୍ମୀ ଠଉରାଇ ପାରେ । କିନ୍ତୁ ଚଳିତ ଥର ଭୋଟ ଦେଇସାରିଥିବା ଭୋଟର ଏ ବିଷୟରେ ନିରବ ରହିବାକୁ ଉଚିତ ମନେକରୁଛି । ବୋଧହୁଏ ତା’ ମନରେ କେଉଁଠି ନା କେଉଁଠି ଡର ରହିଛି । ୨୦୧୯ ଫଳ କ’ଣ ହେବ ସେ ନେଇ ସେ ସନ୍ଦୀହାନ ରହିଛି । କେତେକ ରାଜନୈତିକ ବିଶ୍ଳେଷକଙ୍କ ମତରେ ଭୋଟଦାନ ହାର ବଢ଼ିଲେ ତାହା ସରକାରଙ୍କ ବିରୋଧରେ ଯାଏ ବୋଲି କୁହାଯାଏ । କିନ୍ତୁ ଯେତିକି ବି ମତଦାନ ସଂପର୍କିତ ତଥ୍ୟ ଆସିଛି ସେଥିରେ ଭୋଟହାର ବଢ଼ିବା ଭଳି ସଂକେତ ନାହିଁ । ବରଂ ଅନେକ ସ୍ଥାନରେ ୨୦୧୪ ଅପେକ୍ଷା କମ ଭୋଟ ପଡ଼ିଛି । ଭୋଟହାରର ଏଭଳି ଗତିକୁ ମଧ୍ୟ ଅନୁଶୀଳନ କରିବା ଦୂରୁହ ବ୍ୟାପାର ହୋଇପଡ଼ିଛି । କାହିଁକି ନା ୨୦୧୪ରେ ଆଶାତୀତ ଭୋଟହାର ହୋଇଥିଲା । ପାଖାପାଖି ୭୫% ଭୋଟ ହାର ଏକ ପରିପୃକ୍ତ ଅବସ୍ଥା କହିଲେ ଭୁଲହେବ ନାହିଁ । କହିବାର ଯଥାର୍ଥତା ହେଉଛି ଯେତେ ଚେଷ୍ଟା କଲେ ବି ଏହାଠାରୁ ଅଧିକ ମତଦାନ ହେବା କଷ୍ଟକର । ଅନ୍ୟଏକ ଦିଗଟି ହେଉଛି ଯଦିଓ କେନ୍ଦ୍ରୀୟ ରାଜନୀତି ଆଧାରରେ ବିଜେପି ଓ କଂଗ୍ରେସ କଟର ବିରୋଧୀ କିନ୍ତୁ ରାଜ୍ୟ ରାଜନୀତିକୁ ହିସାବକୁ ନେଲେ ଉଭୟ ଦଳର ମୁଖ୍ୟ ଶତ୍ରୁ ହେଉଛି ବିଜେଡି । ଫଳରେ ତୃଣମୂଳସ୍ତରରେ ଅନେକ କଂଗ୍ରେସ କର୍ମୀ ବିଜେପିକୁ ସହଯୋଗ କରୁଥିବା ବେଳେ ବିଜେପି କର୍ମୀମାନେ କଂଗ୍ରେସ ସହଯୋଗ କରୁଥିବା ଦେଖିବାକୁ ମିଳିଛି । ବିଶେଷକରି ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ଏଭଳି ସ୍ଥିତି ପରିଲକ୍ଷିତ ହୋଇଛି । ସାମଗ୍ରୀକ ଭାବେ ଏହିସବୁ ରାଜନୈତିକ ସମୀକରଣ ଓ ବିଶ୍ଳେଷଣକୁ ଅନୁଶୀଳନ କଲେ ଭୋଟ୍ର ଗତି କେଉଁ ଦିଗକୁ ଯାଇଛି ସେଥିପାଇଁ ମେ’ ୨୩କୁ ଅପେକ୍ଷା କରିବା ଶ୍ରେୟଷ୍କର ହେବ ।