ହୃଦରୋଗୀଙ୍କ ପାଇଁ ନାହିଁ ୫-ଟିର ‘ହୃଦୟ’

ହୃଦରୋଗୀଙ୍କ ପାଇଁ ନାହିଁ ୫-ଟିର ‘ହୃଦୟ’

ହୃଦରୋଗୀଙ୍କ ପାଇଁ ନାହିଁ ୫-ଟିର ‘ହୃଦୟ’
କଟକ - ଡାକ୍ତରଙ୍କ ଭାଷାରେ ହୃଦରୋଗ ସବୁଠାରୁ ବିପଦଜନକ । ଠିକ ସମୟରେ ହୃଦରୋଗୀଙ୍କର ଚିକିତ୍ସା ନହେଲେ ଅକାଳେ ଝଡ଼ିପଡ଼ିବା ନିଶ୍ଚିତ । ହେଲେ ଏଇ ହୃଦରୋଗୀଙ୍କ ଉତମ ଚିକିତ୍ସା ପାଇଁ ସରକାରଙ୍କର ହୃଦୟଟେ ଥିବାଭଳି ମନେ ହେଉନାହିଁ । ରାଜ୍ୟର ସବୁଠାରୁ ବଡ଼ ମେଡ଼ିକାଲ ଏସସିବି ମେଡ଼ିକାଲ କଲେଜରେ ହୃଦରୋଗୀଙ୍କ ପାଇଁ ସରକାରଙ୍କ ବ୍ୟବସ୍ଥା କଥା ନିରିଖେଇ ଅନୁଶୀଳନ କଲେ ଯେକେହିବି ମର୍ମେ ମର୍ମେ ଏହା ଅନୁଭବ କରିପାରିବ ।ହୃଦରୋଗୀଙ୍କ ପାଇଁ ସରକାରୀ ଡାକ୍ତରଖାନାମାନଙ୍କରେ ଆଦୌ ବ୍ୟବସ୍ଥା ନାହିଁ କହିଲେ ଭୁଲ ହେବନାହିଁ । ହାତଗଣତି କେତେକ ବେସରକାରୀ ଡାକ୍ତରଖାନାରେ ଏହାର ଚିକିତ୍ସା ସୁବିଧା ରହିଛି । ତେବେ କଟକ ବଡ଼ମେଡ଼ିକାଲରେ ହୃଦରୋଗର ଚିକିତ୍ସା ପାଇଁ ବ୍ୟବସ୍ଥା ରହିଥିବାରୁ ରୋଗୀମାନେ ସ୍ୱାଭାବିକ ଭାବେ ଏହା ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି । ପ୍ରତିଦିନ ଶହ ଶହ ରୋଗୀ ହୃଦରୋଗର ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲ ଆସିଥା’ନ୍ତି । ତେବେ ଦୁଃଖ ଓ ପରିତାପର ବିଷୟ ଏଠାରେ ଆବଶ୍ୟକୀୟ ସଂଖ୍ୟକ ଡାକ୍ତରଙ୍କର ଅଭାବ ରହିଛି । ବିଭାଗରେ ୧୫ ଜଣ ଡାକ୍ତର ରହିବା ସ୍ଥଳେ ମାତ୍ର ୨ ଜଣ ଡାକ୍ତର ଅଛନ୍ତି । ଫଳରେ ଅପରେସନ ପାଇଁ ମାସ ମାସ ଧରି ଅପେକ୍ଷା କରିବାକୁ ପଡ଼ୁଛି । ଖାଲି ସେତିକିନୁହେଁ ସବୁ ବିଭାଗରେ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର କ୍ୟାବିନ ଥିବାବେଳେ ହୃଦରୋଗ ବିଭାଗରେ କିନ୍ତୁ ରୋଗୀଙ୍କ ପାଇଁ କ୍ୟାବିନ ନାହିଁ । ଗୋଟିଏ ପଟେ ୫ଟି ସଚିବ ବଡ଼ି ଭୋରରୁ ମେଡ଼ିକାଲରେ ପହଁଚି ଯାଂଚ କରୁଥିବା ଦେଖିବାକୁ ମିଳୁଛି । ଏନେଇ ବେଶ ପ୍ରଚାର ପ୍ରସାର ବି ହେଉଛି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ମେଡ଼ିକାଲର ଆଧୁନିକୀକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେବବୋଲି ବାହାସ୍ଫୋଟ ମାରୁଛନ୍ତି । କିନ୍ତୁ ହାତୀର ଦେଖାଇବା ଓ ଖାଇବା ଦାନ୍ତ ଭଳି ସରକାରଙ୍କ ମନ୍ତ୍ରୀ ଓ ସଚିବମାନଙ୍କର କଥା ଓ କାମ ଭିନ୍ନ ଭିନ୍ନ ବୋଲି ରୋଗୀମାନେ ଅଭିଯୋଗ କରିଛନ୍ତି ।