୫ ମାସରେ ବିଏମସିର ୧୨୦ କୋଟି ଟିକସ ଆଦାୟ ଲକ୍ଷ୍ୟ

୫ ମାସରେ ବିଏମସିର ୧୨୦ କୋଟି ଟିକସ ଆଦାୟ ଲକ୍ଷ୍ୟ

୫ ମାସରେ ବିଏମସିର ୧୨୦ କୋଟି ଟିକସ ଆଦାୟ ଲକ୍ଷ୍ୟ
ଭୁବନେଶ୍ୱର : କରୋନା ଯୋଗୁଁ ଦେଶ ତଥା ବିଶ୍ବର ଅର୍ଥନୀତି ଶିଥିଳ ହୋଇପଡିଥିବାବେଳେ ଓଡିଶା ସରକାରଙ୍କ ଅବସ୍ଥା ତା’ଠୁ ବଳି ପଡୁଛି । କରୋନା କାଳରେ ରାଜ୍ୟ ସରକାର କିଛି ନୂତନ ପ୍ରକଳ୍ପ କରିବେନି ବୋଲି ଆପାତତଃ ନିଷ୍ପତ୍ତି ନେଇଛନ୍ତି । ସେହିପରି ରାଜସ୍ବ ଅଭାବ ଯୋଗୁଁ ବିଭିନ୍ନ ବିଭାଗକୁ ଅର୍ଥ ଦିଆଯାଉନି । ଯଦିଓ କିଛି ବିଭାଗକୁ ଅର୍ଥ ଦିଆଯାଉଛି, ତାହା ପୁଣି କାଣ୍ଟଛାଣ୍ଟ୍‌ କରାଯାଉଛି। କରୋନା ଜାଲରେ ଫଶି ଯାଇଛି ଭୁବନେଶ୍ବର ମୁନ୍ୟିସିପାଲଟି କର୍ପୋରେସନ୍‌ ବା (ବିଏମ୍‌ସି) । ଚଳିତ କରୋନାକୁ ଦୃଷ୍ଟିରେ ରଖି ବିଏମ୍‌ସି କୌଣସି ନୂଆ ପ୍ରକଳ୍ପ ପାଇଁ ଟଙ୍କା ମିଳିବାର ନଥିବାବେଳେ ରାଜସ୍ବ ଆଦାୟ ମଧ୍ୟ ସେହିପରି ହୋଇପାରୁନାହିଁ । ବିଏମ୍‌ସିର ରାଜସ୍ବ ଆୟ ଭୁଶୁଡ଼ି ପଡ଼ିଥିବାରୁ ଭୁବନେଶ୍ବରରେ କିଛି ବଡ଼ ପ୍ରକଳ୍ପ ହୋଇପାରୁନି। ଏପରିକି ଆଗାମୀ ଦିନରେ ବିଏମ୍‌ସି ନୂ୍ଆ ପ୍ରକଳ୍ପ କରିବା ସ୍ଥିତିରେ ନାହିଁ। ତେଣୁ ଚଳିତ ଆର୍ଥିକ ବର୍ଷର ବାକି ୫ ମାସରେ ବିଏମ୍‌ସି ନିଜ ସ୍ଥିତି ସୁଦୃଢ଼ କରିବାକୁ ଅଣ୍ଟା ଭିଡ଼ିଛି। କରୋନା ପ୍ରକୋପ ସତ୍ତ୍ବେ ବିଏମ୍‌ସି ୧୩୦ କୋଟିର ରାଜସ୍ବ ଆଦାୟ କରିବାକୁ ଟାର୍ଗେଟ୍ ରଖିଛି। ବିଏମ୍‌ସି ହୋଲଡିଂ ଟିକସ, ଲାଇସେନ୍ସ ଫି’ ଏବଂ ଜରିମାନା ବାବଦକୁ କିଛି ଆୟ କରୁଛି। ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ୭ ମାସରେ ମାତ୍ର ୨୦କୋଟି ଆଦାୟ ହୋଇଛି। ତେଣୁ ବାକି ୫ ମାସରେ ୧୩୦କୋଟି ରାଜସ୍ବ ଆଦାୟ କରିବାକୁ ଯୋଜନା କରୁଛି। କରୋନା ପାଇଁ ବିଏମ୍‌ସି ରାଜସ୍ବ ଆଦାୟକୁ ଅଧିକ ଧ୍ୟାନ ଦେଇପାରିନାହିଁ ବୋଲି କହିଛନ୍ତି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ତେବେ ଏବେ ବିଏମ୍‌ସି କିପରି ୧୫୦ କୋଟି ରାଜସ୍ବ ଆଦାୟ କରିବ ସେଥିପ୍ରତି ଧ୍ୟାନ ଦେଉଛି । ତେବେ ସେ ଏହି ଟାର୍ଗେଟ୍‌ ପୂରଣ କରିବାରେ ସଫଳ ହେବେ ବୋଲି ସୂଚନା ଦେଇଛନ୍ତି । ଏନେଇ ସେ ଖୁବ୍‌ଶୀଘ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବେ । ଗତବର୍ଷ ଯେପରି ଶେଷ ତିନି ମାସରେ ବିଏମ୍‌ସି ରେକର୍ଡ ରାଜସ୍ବ ଆଦାୟ କରିଥିଲା, ଏଥର ମଧ୍ୟ ସେପରି ରଣନୀତି ପ୍ରସ୍ତୁତି କରି ସେହି କ୍ଷେତ୍ରରେ ଆଗେଇବେ ବୋଲି କହିଛନ୍ତି ବିଏମ୍ସି କମିଶନର । ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଚଳିତ ଆର୍ଥିକ ବର୍ଷରେ ୭ ମାସରେ ବିଏମ୍‌ସି ମାତ୍ର ୨୦କୋଟି ଆୟ କରିଛି। ଏଥିରୁ ପ୍ରାୟ ୮ କୋଟି ହୋଲଡିଂ ଟିକସ ବାବଦକୁ ଆସିଥିବା ବେଳେ ବାକି ପ୍ଲାନ୍‌ ଆବେଦନ ଫି’, ଟ୍ରେଡ୍‌ ଲାଇସେନ୍ସ, ପାର୍କିଂସ୍ଥଳୀ ନିଲାମ ବାବଦ ଫି’, ଏନ୍‌ଓସି, ବିଭିନ୍ନ ସମ୍ପତ୍ତି ଭଡ଼ାରୁ ମିଳିଛି। ତେଣୁ ଆଗାମୀ ଦିନରେ ହୋଲଡିଂ ଟିକସ ଆଦାୟ କଡ଼ାକଡ଼ି ହେବ, ‌ସବୁ ବ୍ୟବସାୟୀ ଟ୍ରେଡ୍‌ ଲାଇସେନ୍ସ ନେଇଛନ୍ତି କି ନାହିଁ, ଖାଦ୍ୟ ଦୋକାନଗୁଡ଼ିକ ପାଇଁ ଫୁଡ୍‌ ଲାଇସେନ୍ସ କରିଛନ୍ତି କି ନାହିଁ, ଯାଞ୍ଚ କରାଯିବ। ଯେଉଁମାନେ ଲାଇସେନ୍ସ କରି ନଥିବେ ଜରିମାନା ଆଦାୟ କରାଯିବ। ପାର୍କିଂସ୍ଥଳୀ ନିଲାମ, ହୋର୍ଡିଂ ନିଲାମ ତ୍ବରାନ୍ବିତ କରାଯିବ। ବିଏମ୍‌ସି ଏପ୍ରିଲରୁ ନଭେମ୍ବର ମଧ୍ୟରେ ୭ ମାସରେ ପ୍ରାୟ ୪୦ କୋଟି ରାଜସ୍ବ ଆଦାୟ କରିଥାଏ। ଏଥିରେ ପ୍ରାୟ ୧୨ କୋଟି ଟଙ୍କା ହୋଲଡିଂ ଟିକସ ବାବଦକୁ ଆସିଥାଏ। କିନ୍ତୁ ଏଥର ଏହାର ପ୍ରାୟ ଅଧା ଆଦାୟ ହୋଇଛି। ଲୋକମାନେ ରିବେଟ୍‌ ପାଉଥିବାରୁ ଆଗୁଆ ହୋଲଡିଂ ଟିକସ ଦେଇ ଦେଇଛନ୍ତି। ଡିସେମ୍ବରରୁ ମାର୍ଚ୍ଚ ଭିତରେ ବିଏମ୍‌ସି ପ୍ରାୟ ୬୦ରୁ ୭୦କୋଟି ରାଜସ୍ବ ଆଦାୟ କରିଥାଏ। ତେଣୁ ବିଏମ୍‌ସି କମିସନର ଯେଉଁ ଟାର୍ଗେଟ୍‌ ରଖିଛନ୍ତି, ସେନେଇ ଠିକ୍‌ ରଣନୀତି ପ୍ରସ୍ତୁତ ହେଲେ ଏହା ସମ୍ଭବ ହୋଇପାରିବ। ଅପରପକ୍ଷେ ବିଏମ୍‌ସିର ଅର୍ଥ ନଥିବାରୁ ଏବେ କେବଳ ଅତି ଜରୁରୀ କାମ ହେଉଛି। ବର୍ଷା ଜନିତ ଜଳବନ୍ଦୀ ମୁକାବିଲା ଏବଂ ବସ୍ତିବାସିନ୍ଦାଙ୍କୁ ରୋଜଗାର ଦେବା ପାଇଁ ଯାହା ଅର୍ଥ ଖର୍ଚ୍ଚ କରାଯାଉଛି। ଏପଟେ ଏଥର ରାଜଧାନୀର ୬୭ଟି ଯାକ ୱାର୍ଡରେ ୬୦ ଲକ୍ଷ ଲେଖାଏଁ ଖର୍ଚ୍ଚ କରିବାକୁ ଯୋଜନା ହୋଇଥିଲେ ହେଁ ଅର୍ଥ ନଥିବାରୁ ପ୍ରତି ୱାର୍ଡରେ ୨୦ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ହୋଇଛି। ବିଏମ୍‌ସି କର୍ତ୍ତୃପକ୍ଷ ଗତ ଆର୍ଥିକ ବର୍ଷର ବଳକା ତଥା ଚଳିତ ଆର୍ଥିକ ବର୍ଷର ଓପନିଂ ବାଲାନ୍ସ ୭୧ କୋଟି ୮୪ ଲକ୍ଷ ୪୫ ହଜାର ୪୪୪ ଟଙ୍କାରୁ ବିଭିନ୍ନ ଯୋଜନା ବାବଦକୁ ଅର୍ଥ ଖର୍ଚ୍ଚ କରୁଛନ୍ତି। ବିଏମ୍‌ସି ଚଳିତବର୍ଷ ଡ୍ରେନ୍‌ ନିର୍ମାଣ ବାବଦକୁ ୧୪୮ କୋଟି ୨୯ ଲକ୍ଷ, ଡ୍ରେନ୍ କାନ୍ଥ ମରାମତି ବାବଦକୁ ୫୦ କୋଟି , ରାସ୍ତା ମରାମତି ପାଇଁ ୪୦.୫୬ କୋଟି, କମ୍ପୋଷ୍ଟ ପ୍ଳାଣ୍ଟ ନିର୍ମାଣ ବାବଦକୁ ୯୯କୋଟି ୧୪ଲକ୍ଷ ଟଙ୍କା, ସଫେଇ ବାବଦକୁ ପ୍ରାୟ ୬୦କୋଟି ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ଟଙ୍କା ନଥିବାରୁ ବିଏମ୍‌ସି କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ି ଯାଇଛନ୍ତି। ସୂଚନାଯୋଗ୍ୟ, ବିଏମ୍‌ସି ଚଳିତ ବର୍ଷ ପାଇଁ ୭୬୮ କୋଟି ୭୯ ଲକ୍ଷ ୭ହଜାର ୫୯୧ ଟଙ୍କାର ବଜେଟ୍‌ କରିଥିବା ବେଳେ ଏଥିପାଇଁ ବିଭିନ୍ନ ଅନୁଦାନ ଓ ନିଜସ୍ବ ଆୟକୁ ମିଶାଇ ମୋଟ୍‌ ୬୯୭କୋଟି ୯୪ ଲକ୍ଷ ୬୨ ହଜାର ୧୪୭ ଟଙ୍କା ଆୟ କରିବାକୁ ଲକ୍ଷ୍ୟ ରଖିଥିଲା। କିନ୍ତୁ ମାର୍ଚ୍ଚ ମାସରୁ କରୋନା ମହାମାରୀ ଯୋଗୁଁ ବିଏମ୍‌ସିର ସବୁ ଅଙ୍କ ଭୁଲ୍‌ ଭାଲ ହୋଇଯାଇଛି । ତେବେ ବିଏମ୍‌ସି ପୁନର୍ବାର ସଠିକ୍‌ ରଣନୀତି ପ୍ରସ୍ତୁତ କରି ନିଜ ଟାର୍ଗେଟ୍‌ରେ ପହଞ୍ଚିବ ବୋଲି ଆଶା କରିଛି ।