ଟେଷ୍ଟି ଚିଲି କୋବି ନିଜ ହାତରେ ତିଆର କରି ଖାଇବାର ମଜା

ଟେଷ୍ଟି ଚିଲି କୋବି ନିଜ ହାତରେ ତିଆର କରି ଖାଇବାର ମଜା

 ଟେଷ୍ଟି ଚିଲି କୋବି ନିଜ ହାତରେ ତିଆର କରି ଖାଇବାର ମଜା
ଆବଶ୍ୟକ ସାମଗ୍ରୀ- ଫୁଲକୋବି, ତେଲ, ଟମାଟୋ ସସ୍‌, ଚିଲି ସସ୍‌, ସୋୟା ସସ୍‌, ଚାଇନିଜ୍‌ ସଲ୍ଟ, ଲୁଣ, ହଳଦୀ, ଲଙ୍କା, ଜିରା ଓ ଧନିଆ ପାଉଡର, ଅଦା, ରସୁଣ ଓ ପିଆଜ ପେଷ୍ଟ, କଞ୍ଚା ଲଙ୍କା, କ୍ୟାପ୍‌ସିକମ୍‌,କନଫ୍ଲୋର ପାଉଡର, କଲର ପାଉଡର, ଧନିଆ ପାଉଡର, ମସ୍‌ରୁମ୍ ମସଲା, କରି ପାଉଡର, ଗରମ ମସଲା, ପିଆଜ ଓ ରସୁଣ କଟ୍‌ପିସ୍ ‌। ପ୍ରସ୍ତୁତି ପ୍ରଣାଳୀ- ଗୋଟିଏ ଫୁଲକୋବି ନିଅନ୍ତୁ ଓ ପାଖୁଡ଼ା ପାଖୁଡା କରି କାଟି ଦିଅନ୍ତୁ । ଏହା ପରେ ସେଗୁଡ଼ିକୁ ହଳଦୀ ପାଣିରେ ଧୋଇ ପ୍ଲେଟ୍‌ରେ ରଖନ୍ତୁ । ଏକ ଗିନାରେ କନଫ୍ଲୋର ପାଉଡର ଆଣନ୍ତୁ । ସେଥିରେ ଅଦା, ରସୁଣ ଓ ପିଆଜର ପେଷ୍ଟ ପକାନ୍ତୁ। ସ୍ୱାଦ ଅନୁଯାୟୀ ଲୁଣ ପକାନ୍ତୁ। ଲଙ୍କା, ଜିରା ଓ ଧନିଆ ପାଉଡର ପକାନ୍ତୁ । ଟମାଟୋ ସସ୍‌, ଚିଲି ସସ୍‌ ଓ ସୋୟା ସସ୍‌ ମଧ୍ୟ ପକାନ୍ତୁ । ପରେ ସେଥିରେ ଅଳ୍ପ ପାଣି ଓ କଲର ପାଉଡର ପକାଇ ଭଲ ଭାବେ ଗୋଳାନ୍ତୁ । ଧ୍ୟାନ ଦେବେ ଏହି ମିଶ୍ରଣ ଯେପରି ପାଣିଆ ନ ହେବ । ପରେ ସେଥିରେ କିଛି ଚାଇନିଜ୍‌ ସଲ୍ଟ ପକାଇ ଭଲ ଭାବରେ ଗୋଳାନ୍ତୁ । ଏହି ପେଷ୍ଟକୁ କିଛି ସମୟ ରଖି ଦିଅନ୍ତୁ । ପରେ କଡ଼େଇରେ ତେଲ ଗରମ କରନ୍ତୁ । କନଫ୍ଲୋର ଗୋଳା ଫୁଲ କୋବି ପେଷ୍ଟକୁ ଛାଣନ୍ତୁ। ଲାଲ୍‌ ହୋଇଯିବା ପରେ ତାକୁ ଏକ ପ୍ଲେଟରେ କାଢ଼ି ଦିଅନ୍ତୁ । ଏହି କାମଟି ସରିଯିବା ପରେ କଡ଼େଇରେ ତେଲ ଗରମ କରନ୍ତୁ । ସେଥିରେ ଅଳ୍ପ ଚିନି ପକାନ୍ତୁ । ଚିନି ଲାଲ ହୋଇଆସିବା ବେଳକୁ ସେଥିରେ କଟା ହୋଇଥିବା ପିଆଜ ପକାନ୍ତୁ (ପିଆଜଗୁଡ଼ିକୁ ବଡ଼ ବଡ଼ କରି କାଟିବେ) । ପିଆଜକୁ ଲାଲ କରନ୍ତୁ ନାହିଁ । ଏହା ଟିକେ କଞ୍ଚା ରହିବ। ସେଥିରେ ଅଦା, ରସୁଣ ଓ ପିଆଜ ପେଷ୍ଟ ପକାନ୍ତୁ । ତାକୁ ଅଳ୍ପ ସମୟ ଚଲାନ୍ତୁ । ପରେ ସେଥିରେ ଛୋଟ ଛୋଟ ପିସ୍‌ ରସୁଣ ଓ ଲମ୍ବା ଲମ୍ବା ହୋଇ କଟା ହୋଇଥିବା କଞ୍ଚା ଲଙ୍କା ପକାନ୍ତୁ । କଟା ହୋଇଥିବା କ୍ୟାପ୍‌ସିକମ୍‌ ମଧ୍ୟ ପକାନ୍ତୁ । ତା’ପରେ କରି ମସଲାକୁ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ମନେ ରଖନ୍ତୁ ବେଶୀ ସମୟ ମସଲା କଷିବେ ନାହିଁ । ମସଲା ହୋଇ ଆସିବା ବେଳକୁ ଚାଇନିଜ ସଲ୍ଟ, ଟମାଟୋ ସସ୍, ଚିଲି ସସ୍ ଓ ସୋୟା ସସ୍‌ ପକାନ୍ତୁ । ଧନିଆ ପାଉଡର, ଲଙ୍କା ପାଉଡର ଓ ଜିରା ପାଉଡର ପକାଇ ଭଲ ଭାବରେ ଗୋଳାନ୍ତୁ । ଅଳ୍ପ ଗରମ ମସଲା ମଧ୍ୟ ପକାନ୍ତୁ । ପରେ ଛଣା ଯାଇଥିବା କୋବିକୁ ସେଥିରେ ପକାଇ ଗୋଳାନ୍ତୁ । ସ୍ୱାଦ ଅନୁଯାୟୀ ଲୁଣ ପକାନ୍ତୁ। ଅଳ୍ପ ସମୟ ପରେ ଏହାକୁ ପ୍ଲେଟ୍‌କୁ କାଢ଼ି ଆଣନ୍ତୁ। ପ୍ରସ୍ତୁତ ହୋଇଗଲା ଚିଲି କୋବି ।