ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଇଁ ରହିଛି ଦୁଇଟି ମହାମନ୍ତ୍ର

ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଇଁ ରହିଛି ଦୁଇଟି ମହାମନ୍ତ୍ର

ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଇଁ ରହିଛି ଦୁଇଟି ମହାମନ୍ତ୍ର । ଏ ମହାମନ୍ତ୍ର ଦୁଇଟି ହେଉଛି ମୋହନଦାସ କରମଚାନ୍ଦ ଗାନ୍ଧୀ ଓ ମୋହନ ଭାଗବତଙ୍କର । ଜଣେ ସ୍ୱାଧୀନତା ସଂଗ୍ରାମର ସେନାପତି ଓ ଜାତିର ଜନକ ଏବଂ ଅନ୍ୟଜଣେ ରାଷ୍ଟ୍ରବାଦୀ ସଂଗଠନ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମୁଖ୍ୟ । ଲୋକସଭା ନିର୍ବାଚନରେ ଫଳାଫଳ ପ୍ରକାଶ ପରେ ଆରଏସ୍‌ଏସ୍‌ର ମୁଖ୍ୟ ମୋହନ ଭାଗବତ ଦେଇଥିବା ବିବୃତି ଚର୍ଚ୍ଚାର ବଳୟରେ ଥିବାବେଳେ ତାଙ୍କ ସଙ୍ଗଠନର ଅନ୍ୟଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା ଇନେ୍ଦ୍ରଶ କୁମାର ଆଉ ପାଦେ ଆଗେଇ ରାଜସ୍ଥାନର ଜୟପୁର ଠାରେ କହିଥିଲେ ଯେ ଶାସକ ଦଳ ଅହଙ୍କାରୀ ହୋଇଥିବାରୁ ସଂଖ୍ୟା ଗରିଷ୍ଠତା ହାସଲ କରିପାରିଲା ନାହିଁ ଏବଂ ବିରୋଧୀ ଇଣ୍ଡି ମେଣ୍ଟ ପ୍ରଭୁ ଶ୍ରୀରାମଙ୍କ ବିରୋଧୀ ହେବାରୁ ଦ୍ୱିତୀୟ ସ୍ଥାନରେ ରହିଲା । ଜୟପୁର ନିକଟସ୍ଥ କନୋଟା ଠାରେ ରାମରଥ ଯାତ୍ରା ଦର୍ଶନ ପୂଜନ ସମାରୋହ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ ଯେଉଁ ଦଳ ପ୍ରଭୁ ଶ୍ରୀରାମଙ୍କୁ ଭକ୍ତି କଲା କିନ୍ତୁ ଧୀରେ ଧୀରେ ଅହଙ୍କାରୀ ହୋଇଗଲା ତାହା ୨୪୦ ଆସନରେ ଅଟକିଗଲା । ଅନ୍ୟପକ୍ଷରେ ଯେଉଁମାନେ ପ୍ରଭୁ ଶ୍ରୀରାମଙ୍କ ଉପରେ ଭରସା ଓ ବିଶ୍ୱାସ କଲେ ନାହିଁ ସେମାନେ ପଛରେ ରହିଲେ । ଏଠାରେ ଉଲ୍ଲେଖନୀୟ ଯେ ଇନେ୍ଦ୍ରଶ କୁମାରଙ୍କ ପୂର୍ବରୁ ଆରଏସ୍‌ଏସ୍‌ର ମୁଖ୍ୟ ମୋହନ ଭାଗବତ ଏକ ଟିପ୍ପଣୀ ଦେଇ କହିଥିଲେ ଯେ ପ୍ରକୃତ ସେବକମାନେ ବିନା ଅହଙ୍କାରରେ ଲୋକଙ୍କ ସେବା ସହିତ ସମ୍ମାନ ରକ୍ଷା କରିବା ଉଚିତ୍‌ । ରାଜନୀତି ଏକ ସେବାର କ୍ଷେତ୍ର ଏବଂ ଏ କ୍ଷେତ୍ରରେ ଯେଉଁମାନେ ପ୍ରବେଶ କରିଛନ୍ତି ସେମାନେ ନମ୍ର ହେବା ଆବଶ୍ୟକ । ଜଣେ ପ୍ରକୃତ ସେବକ ଅନ୍ୟର ସମ୍ମାନ ରକ୍ଷା କରନ୍ତି । କାମ କଲାବେଳେ ସେ ଶୃଙ୍ଖଳିତ ରହିବା ସହିତ କେବେ ବି ‘ମୁଁ ଏହି କାମ କରିଛି’ବୋଲି ଅହଙ୍କାର ରଖନ୍ତି ନାହିଁ । ଏମାନଙ୍କୁ ହିଁ ପ୍ରକୃତ ସେବକ କୁହାଯାଏ । ଅବଶ୍ୟ ଇତିମଧ୍ୟରେ ଇନେ୍ଦ୍ରଶ କୁମାର ଏ ପ୍ରସଙ୍ଗରେ ତାଙ୍କର ସ୍ପଷ୍ଟୀକରଣ ଦେଇଛନ୍ତି । ଆରଏସ୍‌ଏସ୍‌ ନେତାମାନଙ୍କର ଏହି ବୟାନ ସ୍ପଷ୍ଟ କରୁଛି ଯେ ରାଜନୀତି ଭଳି ସେବା କ୍ଷେତ୍ରରେ ଅହଙ୍କାରର ସ୍ଥାନ ନାହିଁ । ରାଜନୈତିକ କ୍ଷେତ୍ରରେ ଯିଏ ଯେଉଁ ଦାୟିତ୍ୱରେ ରହିଛନ୍ତି ସେମାନେ କୌଣସି ବ୍ୟକ୍ତିଗତ ପ୍ରତ୍ୟାଶା ନରଖି ରାଷ୍ଟ୍ର ପାଇଁ ସମର୍ପିତ ଭାବେ କାମ କରିବା ଆବଶ୍ୟକ । ଆରଏସ୍‌ଏସ୍‌ ସହିତ ବିଜେପିର ବୈଚାରିକ ସମ୍ପର୍କ ଦୃଷ୍ଟିରୁ ମୋହନ ମାଝୀଙ୍କ ନେତୃତ୍ୱରେ ଓଡ଼ିଶାରେ ଗଠିତ ନୂଆ ସରକାର ଆରଏସ୍‌ଏସ୍‌ ମୁଖ୍ୟଙ୍କ ଏହି ବକ୍ତବ୍ୟକୁ ଗୁରୁମନ୍ତ୍ର କରି ଚାଲିବେ ବୋଲି ଆଶା କରାଯାଏ । ଏ ପ୍ରସଙ୍ଗରେ ଜାତିର ଜନକ ମହାମାନବ ମହାତ୍ମା ଗାନ୍ଧୀ କ୍ଷମତା ରାଜନୀତି ସଙ୍କ୍ରାନ୍ତରେ ବିଭିନ୍ନ ସମୟରେ ଦେଇଥିବା ଟିପ୍ପଣୀ କେବଳ ଆମ ରାଜ୍ୟ କି ଦେଶ ନୁହେଁ, ସମଗ୍ର ବିଶ୍ୱ ପାଇଁ ପ୍ରାସଙ୍ଗିକ । ସଂସ୍କାର ସମ୍ପନ୍ନ ନିର୍ଭୀକ ମଣିଷଟିଏ ଜଣେ ସଚ୍ଚା ଦେଶସେବୀ ହୋଇପାରିବ । ଏଥିଲାଗି ଗାନ୍ଧୀଜୀ ବତାଇ ଯାଇଛନ୍ତି ସରଳ ଏକାଦଶ ମାର୍ଗ । ଏଗୁଡ଼ିକ ହେଲା- ଅହିଂସା, ସତ୍ୟ, ଅସ୍ତେୟ ବା ଅଚୌର୍ଯ୍ୟ, ବ୍ରହ୍ମଚର୍ଯ୍ୟ, ଅସଙ୍ଗ୍ରହ, ଶରୀର ଶ୍ରମ, ଅସ୍ୱାଦ, ନିର୍ଭୀକତା, ସର୍ବଧର୍ମ ସମାନତ୍ୱ, ସ୍ୱଦେଶୀ, ଅସ୍ପୃଶ୍ୟତା ନିବାରଣ ଇତ୍ୟାଦି । ସତ୍‌ର ସରଳ ରେଖା ଉପରେ ଯେଉଁ ମଣିଷର ଚିନ୍ତା, କାମ ଓ କଥା ଏହି ଏକାଦଶ ବ୍ରତ ଆଧାରରେ ତିନୋଟି ବିନ୍ଦୁ ହୋଇ ରହିପାରେ, ସେ ନିଶ୍ଚୟ ଭଲ ମଣିଷ ହେବ । ବ୍ୟକ୍ତି ଜୀବନର ସମଷ୍ଟି ରାଷ୍ଟ୍ର ଜୀବନରେ ପ୍ରତିଫଳିତ ହୋଇଥାଏ । ଏ ପରିପ୍ରେକ୍ଷୀରେ ନୀତି ବିହୀନ ରାଜନୀତି, ନୈତିକତା ବିହୀନ ବାଣିଜ୍ୟ ବ୍ୟବସାୟ, ଚରିତ୍ର ବିହୀନ ଶିକ୍ଷା, ଶ୍ରମ ବିହୀନ ସମ୍ପଦ, ବିବେକ ବିହୀନ ବିଳାସ, ମାନବିକତା ବିହୀନ ବିଜ୍ଞାନ ଓ ତ୍ୟାଗ ବିହୀନ ଉପାସନା ଭଳି ୭ଟି ସାଙ୍ଘାତିକ ପାପ ଠାରୁ ବ୍ୟକ୍ତି ଓ ରାଷ୍ଟ୍ର ଜୀବନ ଦୂରେଇ ରହି ସ୍ୱଦେଶୀ, ସ୍ୱାବଲମ୍ବନ, ସ୍ୱାଭିମାନ ଓ ଗ୍ରାମ ସ୍ୱରାଜ୍ୟ ଆଧାରରେ ପ୍ରଶାସନ କଳକୁ ଚଳାଇଲେ ବହୁ ସମସ୍ୟାର ସମାଧାନ ହୋଇପାରିବ । ଏଥିପାଇଁ ସମାଜର ସବୁଠାରୁ ତଳେ ପଡ଼ ିଥିବା ଲୋକକୁ ଉପରକୁ ଉଠାଇ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପଡ଼ିବ । ଦୁର୍ନୀତି, ଭ୍ରଷ୍ଟାଚାର, ପକ୍ଷପାତିତା ଆଦି ବ୍ୟାଧିରୁ ସରକାର ଚଳାଉଥିବା ବ୍ୟକ୍ତି ବିଶେଷ ଊଦ୍ଧ୍ୱର୍ରେ ରହିବା ଆବଶ୍ୟକ ।

ଗାନ୍ଧୀଜୀଙ୍କ ମତରେ ସରକାର ହେଉଛି ଜନସାଧାରଣଙ୍କ ମାଲିକାନାରେ ଏକ ଟ୍ରଷ୍ଟବୋର୍ଡ ଏବଂ ମନ୍ତ୍ରୀ ଓ ଅନ୍ୟ ପ୍ରତିନିଧିମାନେ ଦେଶର ମାଲିକ ନୁହନ୍ତି, ସେବକ ମାତ୍ର । ତେଣୁ ମନ୍ତ୍ରୀ, ଅଧିକାରୀ ଓ ଲୋକ ପ୍ରତିନିଧିମାନେ ଯେତେସବୁ ସୁବିଧା ସୁଯୋଗ ପାଉଛନ୍ତି ତାହାକୁ ଆରାମ ଦାୟକ ଜୀବନ ଯାପନ କିମ୍ବା ବ୍ୟକ୍ତିଗତ ସ୍ୱାର୍ଥ ସାଧନ, ନିଜସ୍ୱ ପ୍ରତିଷ୍ଠା ତଥା ବ୍ୟକ୍ତିଗତ ପାଣ୍ଠି ଓ ସମ୍ପତ୍ତି ବୃଦ୍ଧି ଲାଗି ଅପବ୍ୟବହାର କରିବା ଅନୁଚିତ୍‌ । ଭୟ, ଘୃଣା, ପକ୍ଷପାତିତା ଓ ବ୍ୟକ୍ତିଗତ ସ୍ୱାର୍ଥ ସାଧନରୁ ନିଜକୁ ଉପରେ ରଖି ସେମାନେ ସ୍ୱଚ୍ଛ ମନରେ ଜଣେ ସେବକ ଭାବେ ନମ୍ରତାର ସହ ଶାସନ ପରିଚାଳନା କରିବା ଆବଶ୍ୟକ । ଗାନ୍ଧୀଜୀ ପୁଣି ବାରମ୍ବାର କହିଛନ୍ତି ଯେ ଯେଉଁମାନେ ମନ୍ତ୍ରୀ ଓ ଲୋକ ପ୍ରତିନିଧି ହୋଇଛନ୍ତି ସେମାନଙ୍କ ଠାରୁ ଅଧିକ ଦକ୍ଷ ଓ ଯୋଗ୍ୟ ଲୋକ ବି ସମାଜରେ ଅଛନ୍ତି । ତେଣୁ ମନ୍ତ୍ରୀତ୍ୱକୁ ପୁରସ୍କାର କିମ୍ବା ବ୍ୟକ୍ତିଗତ ପ୍ରତିଷ୍ଠା ବୋଲି ନଭାବି ପ୍ରତି ମୁହୂର୍ତ୍ତରେ ନିଜ ନିଜ ପଦବୀରୁ ଇସ୍ତଫା ଦେଇ ସାଧାରଣ କ୍ଷେତ୍ରରେ କାମ କରିବା ପାଇଁ ସେମାନଙ୍କ ମାନସିକତା ରହିବା କଥା । ବିଶେଷକରି ମନ୍ତ୍ରୀମାନେ ବିଳାସବ୍ୟସନରୁ ନିଜକୁ ଊଦ୍ଧ୍ୱର୍ରେ ରଖି ସାଧାରଣ ଲୋକଙ୍କ ପରି ଜୀବନ ଯାପନ କରିବା ସହ ଦେଶର ହିତ ଓ ଦରିଦ୍ରତମ ଲୋକଙ୍କ ଉତ୍‌ଥାନ ପାଇଁ କାମ କରିବା ଆବଶ୍ୟକ । ମଦ, ଜୁଆ, କ୍ଷୁଧା ଓ ଦାରିଦ୍ର୍ୟର ନିପାତ ପାଇଁ ସଂକଳ୍ପବଦ୍ଧ ହୋଇ କାମ କରିବା ବେଳେ ଏମାନେ ମୋଟା ଅଙ୍କର ବେତନ, ଭତ୍ତା ଓ ଉପୁରି ପ୍ରତି ନଜର ନଦେଇ ନିଜକୁ ସ୍ୱଚ୍ଛ ରଖିବା ସହିତ ଜନସାଧାରଣଙ୍କ ଶ୍ରଦ୍ଧାଭାଜନ ହୋଇ ବିଶ୍ୱରେ ରାଷ୍ଟ୍ରର ମର୍ଯ୍ୟାଦା ବଢ଼ାଇବା ଲାଗି ଗାନ୍ଧୀଜୀଙ୍କ ମହାମନ୍ତ୍ରରୁ ହୁଡ଼ିବା ଫଳରେ ଆମ ଉପରେ ସମସ୍ୟା ପାହାଡ଼ ଚାପିହୋଇ ଯାଉଛି । ଲୋକ ପ୍ରତିନିଧିମାନେ ଯଦି ପ୍ରତିହିଂସା ପରାୟଣ ନହୋଇ ନମ୍ର, ଭଦ୍ର ଓ ସହନଶୀଳ ହେବେ ଏବଂ ନିରପେକ୍ଷ ଭାବେ ଜନତାଙ୍କୁ ବିଶ୍ୱାସକୁ ନେଇ ଦେଶକୁ ଆଗକୁ ବଢ଼ାଇବେ ତା’ହେଲେ ଗାଁରେ ରହୁଥିବା ଲୋକେ କହିବେ, ଆମ ଗାଁରେ ଆମେ ସରକାର ଏବଂ ଭୁବନେଶ୍ୱର ଓ ଦିଲ୍ଲୀରେ ଆମ ସରକାର । ଥରେ ଯଦି କ୍ଷମତାର ଅନ୍ଧ ଗଳିରେ ଜଣେ ଗର୍ବ-ଅହଙ୍କାରରେ ଉନ୍ମତ ହୋଇପଡ଼େ, ତେବେ ସେ ନିଜର କ୍ଷତି କରିବା ସହ ଈଶ୍ୱର ଓ ସମ୍ବିଧାନ ନାମରେ ରାଜ୍ୟ ଓ ଦେଶ ଚଳାଇବା ପାଇଁ ଯେଉଁ ପବିତ୍ର ଶପଥ ନେଇଥାଏ ତାହାକୁ ଭୁଲି ଚାଟୁକାରମାନଙ୍କ ମିଠା କଥାରେ ଅବାଟରେ ଚାଲି ସମସ୍ୟା କମାଇବା ପରିବର୍ତ୍ତେ ବଢ଼ାଇଥାଏ । ଏକଥା ସତ ଯେ ଓଡ଼ ିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ସାଧାରଣ ଆଦିବାସୀ ଗାଁରୁ ଆସିଛନ୍ତି । ପ୍ରଥମେ ଶିକ୍ଷକତା ଓ ପରେ ସରପଞ୍ଚ ଭାବେ ସେ ଅନେକ ଅନୁଭୂତି ହାସଲ କରିଛନ୍ତି । ସେ ବି ଜଣେ ଭଲ କ୍ରୀଡ଼ାବିତ୍‌ । କେବଳ ସେତିକି ନୁହେଁ, ବିଧାନସଭାକୁ ଚାରି ଚାରିଥର ନିର୍ବାଚିତ ହୋଇ ଲୋକଙ୍କ ସମସ୍ୟା ଉଠାଇଛନ୍ତି । ତାଙ୍କ ୧୬ଜଣିଆ ମନ୍ତ୍ରିମଣ୍ଡଳରେ ୧୫ଜଣ ପୂର୍ବରୁ କେବେ ମନ୍ତ୍ରୀ ହୋଇନଥିଲେ ଏବଂ ପ୍ରାୟ ଅଧା ପ୍ରଥମଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ମନରେ ଶୁଦ୍ଧ ସଂକଳ୍ପ ଥିଲେ ଏବଂ ଗର୍ବ ଅହଙ୍କାରରୁ ଦୂରରେ ରହି ସମର୍ପିତ ଭାବେ ରାଜ୍ୟର ସେବା କରିବା ପାଇଁ ଆଗ୍ରହ ଥିଲେ ଏମାନେ ବି ନୂଆ ଇତିହାସ ରଚନା କରିପାରିବେ । କିନ୍ତୁ ବାଟ ହୁଡ଼ ିଗଲେ ସାଧାରଣ ଜନତାଙ୍କ ରୋଷର ସମ୍ମୁଖୀନ ହୋଇ ପରେ ପଶ୍ଚାତ୍ତାପ କରିବେ । ଯେଉଁମାନେ ନିର୍ବାଚନରେ ପରାଜିତ ହୋଇଛନ୍ତି ଓ କ୍ଷମତା ହରାଇଛନ୍ତି ସେମାନେ ସକରାତ୍ମକ ବିରୋଧୀ ଦଳ ଭାବରେ କାମ କରି ମଧ୍ୟ ରାଜ୍ୟ ପ୍ରଗତିର ବାହକ ହୋଇପାରିବେ । ସରକାରୀ କଳ ଗୋଟାଏ ଅମାନିଆ ଦନ୍ତା ହାତୀ ଭଳି । ଏକ ସଶକ୍ତ ବିରୋଧୀ ଦଳ ମାହୁନ୍ତର ଭୂମିକାରେ ଅବତୀର୍ଣ୍ଣ ହୋଇ ସଠିକ୍‌ ଭାବେ ଅଙ୍କୁଶ ପ୍ରୟୋଗ କରିପାରିଲେ ଅବାଟରେ ଯାଉଥିବା ସରକାର ବି ବାଟକୁ ଆସିପାରିବ । ଅନ୍ୟପକ୍ଷରେ ପ୍ରତିପକ୍ଷଙ୍କୁ ହେୟଜ୍ଞାନ ନକରି ସେମାନଙ୍କ ପ୍ରତିଟି ପରାମର୍ଶକୁ ଠିକଣା ଭାବେ ତର୍ଜମା ପୂର୍ବକ କାମ କଲେ ଅନେକ ସଫଳତା ମିଳିବ । କେହି କେହି କ୍ଷମତା ନିଶାରେ ମତୁଆଲା ହୋଇ ଭାବନ୍ତି ଯେ ସରକାର ଲୋକଙ୍କ ପାଇଁ ଯେଉଁ ସୁବିଧା ସୁଯୋଗ ସୃଷ୍ଟି କରୁଛନ୍ତି ତାହା ସେମାନଙ୍କ ଦାନ । ଦାତାର ଦର୍ପ ଓ ଗ୍ରହୀତାର ଦୈନ୍ୟକୁ ବିଜ୍ଞାପିତ କରି ଯେଉଁମାନେ ଆତ୍ମସନ୍ତୋଷ ଲାଭ କରନ୍ତି ସେମାନେ ନିଜର ଓ ସମାଜର ବିଶେଷ କ୍ଷତି କରିଥାନ୍ତି । ଶାସନ କ୍ଷମତାକୁ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଆସିଥିବା ଲୋକମାନେ ସର୍ବପ୍ରଥମେ ଶୃଙ୍ଖଳିତ ଓ ସହନଶୀଳ ଆବଶ୍ୟକ । ଏହା ନକରି ଯେଉଁମାନେ ସାଧାରଣ ଜନତାଙ୍କୁ ଶିଡ଼ ି କରି କ୍ଷମତାର ଶୀର୍ଷ ବିନ୍ଦୁକୁ ଚଢ଼ ି ଶିଡ଼ ିକୁ ଫିଙ୍ଗି ଦିଅନ୍ତି ସେମାନଙ୍କୁ ନିଶ୍ଚିତ ପତନମୁଖରୁ ଈଶ୍ୱର ବି ରକ୍ଷା କରନ୍ତି ନାହିଁ । ଏ ପରିପ୍ରେକ୍ଷୀରେ ଓଡ଼ିଶା ଭଳି ଏକ ପଛୁଆ ରାଜ୍ୟକୁ ବିକାଶର ଶୀର୍ଷ ସ୍ଥାନ ଆଡକୁ ନେଇଯିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନଙ୍କୁ ମୋହନ ଦାସଙ୍କ ମହାମନ୍ତ୍ର ଅପେକ୍ଷା କରିଛି । ଏହାର ସଦୁପଯୋଗ କରିବା ହେଉଛି ତାଙ୍କ ପାଇଁ ସମୟର ବଡ଼ ଆହ୍ୱାନ ।