ଓଡ଼ିଆ ବ୍ୟବହାର ଶିଖିବେ ସରକାରୀ ବାବୁ

ଓଡ଼ିଆ ବ୍ୟବହାର ଶିଖିବେ ସରକାରୀ ବାବୁ

ଓଡ଼ିଆ ବ୍ୟବହାର ଶିଖିବେ ସରକାରୀ ବାବୁ
ଭୁବନେଶ୍ୱର : ସରକାରୀ ନଥିପତ୍ର ଓଡ଼ିଆ ଭାଷାରେ ଲେଖିବା ବାଧ୍ୟତାମୂଳକ ହେବ । କେବଳ ବୋଝ ଲଦି ନ ଦେଇ ଅଧିକାରୀମାନେ କିଭଳି ଓଡ଼ିଆ ଭାଷାର ଉଚିତ ବ୍ୟବହାର କରିପାରିବେ, ସେନେଇ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି । ସରକାରୀ ବାବୁମାନଙ୍କୁ ଓଡ଼ିଆ ଭାଷା ସମ୍ବନ୍ଧୀୟ ତାଲିମ୍ ଦେବାର ବ୍ୟବସ୍ଥା ହୋଇଛି । ରାଜ୍ୟ ସଂସ୍କୃତି ବିଭାଗ ଅଧୀନ "ଓଡ଼ିଆ ଭାଷା ପ୍ରତିଷ୍ଠାନ' ପକ୍ଷରୁ ବିଭିନ୍ନ ବିଭାଗର ଅଧିକାରୀଙ୍କ ପାଇଁ ୫ ଦିନିଆ ପ୍ରଶିକ୍ଷଣର ବନେ୍ଦାବସ୍ତ କରାଯାଇଛି । ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଏ ସଂକ୍ରାନ୍ତୀୟ ଏକ ସ୍ୱତନ୍ତ୍ର ପାଠ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ସରକାରଙ୍କ ୧୫ଟି ବିଭାଗର ୪୦ଜଣ ଅଧିକାରୀ ତାଲିମ୍ ନେବେ । ଭୁବନେଶ୍ୱରର ଅଧିକାରୀଙ୍କୁ ପର୍ଯ୍ୟାୟ କ୍ରମେ ତାଲିମ୍ ଦେବା ପରେ ଅନ୍ୟ ଜିଲ୍ଲା ଓ ବ୍ଲକସ୍ତରରେ ଆରମ୍ଭ ହେବ । ପୂର୍ବରୁ ୨୦୧୦ ମସିହାରେ ମଧ୍ୟ ସ୍ୱତନ୍ତ୍ର ପାଠ୍ୟ ଖସଡ଼ା ପ୍ରସ୍ତୁତ କରି ପ୍ରଶିକ୍ଷଣ ଦିଆଯାଇଥିଲା । ଏହାର ୯ବର୍ଷ ପରେ ପୁନର୍ବାର ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ବିଶେଷକରି ମାନକ ଭାଷା, କଥିତ ଭାଷା, ଲିଖିତ ଭାଷା, ଶବ୍ଦର ବ୍ୟାବହାରିକ ରୂପ, ଓଡ଼ିଆ ଭାଷାର ପ୍ରଶାସନିକ ପ୍ରୟୋଗ ଶୈଳୀ ଓ କୌଶଳ, ସଂଖ୍ୟା ଓ ତାରିଖର ବ୍ୟବହାର ଶୈଳୀ, ପ୍ରାଶାସନିକ ଶବ୍ଦ ଚୟନ ଓ ଶବ୍ଦ ଗଠନ, ବନାନ ଶୁଦ୍ଧତା ଓ ଆବଶ୍ୟକତା, ବାକ୍ୟଗଠନ ଓ ଚିହ୍ନ ପ୍ରୟୋଗ, ଟିପ୍ପଣୀ ଓ ଚିଠା ପ୍ରସ୍ତୁତି, ଆଦେଶନାମା ପ୍ରସ୍ତୁତି, ଇଂରାଜୀରୁ ଓଡ଼ିଆ ଟିପ୍ପଣୀ, ଚିଠା ଆଦେଶନାମା ଅନୁବାଦ, ଅନୁବାଦ ଶୈଳୀ ଆଦି ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦେଶିକା ଡ. ତମସାରାଣୀ ଦାସ ମହାପାତ୍ର କହିଛନ୍ତି । ଡ. ଦାସ ମହାପାତ୍ରଙ୍କ କହିବା ମୁତାବକ, ସାଧାରଣ ପ୍ରଶାସନ (ଜିଏ) ବିଭାଗ ହିଁ ତାଲିମ୍ ପାଇଁ ଅଧିକାରୀମାନଙ୍କ ତାଲିକା ପ୍ରଦାନ କରିବ । ଏହି ଅନୁଯାୟୀ ଜିଏ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଅର୍ଥ, ବିଧି, ସୂଚନା ଓ ଲୋକସମ୍ପର୍କ, ପଞ୍ଚାୟତିରାଜ ଓ ପାନୀୟଜଳ, ହସ୍ତତନ୍ତ ଓ ବୟନଶିଳ୍ପ, ଜଳସମ୍ପଦ, ସମବାୟ, ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ, ପର୍ଯ୍ୟଟନ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ସାଧାରଣ ଉଦ୍ୟୋଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଗ୍ରାମ୍ୟ ଉନ୍ନୟନ, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗରୁ ୪୦ ଜଣ ଅଧିକାରୀଙ୍କୁ ତାଲିମ୍ ଦେବାକୁ ନିଷ୍ପତ୍ତି ନିଆଯାଇଛି । ବିଶିଷ୍ଟ ଭାଷାବିତ୍ ଡ. କୈଳାସ ଚନ୍ଦ୍ର ଟିକାୟତ ରାୟ, ଡ. ସୁରେନ୍ଦ୍ର ଦାଶ, ଡ. ହରପ୍ରସାଦ ମିଶ୍ର, ଡ. ସୀତାଂଶୁ ଦାଶ, ଡ. ବୈଷ୍ଣବ ଚରଣ ମହାନ୍ତି ପ୍ରମୁଖ ପ୍ରଶିକ୍ଷଣ ଦେବେ । ୨୧ତାରିଖରୁ ୨୫ତାରିଖ ପର୍ଯ୍ୟନ୍ତ ପ୍ରଶିକ୍ଷଣ କାର୍ଯ୍ୟ ଚାଲିବ । ଶେଷ ଦିନରେ ପ୍ରଶ୍ନୋତ୍ତର ଆଲୋଚନା ସହ ଏକ ପରୀକ୍ଷା କରାଯିବ । ଅଂଶଗ୍ରହଣ କରିଥିବା ଅଧିକାରୀଙ୍କୁ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯିବ । ୨୦୧୦ ମସିହାରେ ସରକାର ଏହିପରି ଏକ ପଦକ୍ଷେପ ନେଇଥିଲେ ହେଁ ପରବର୍ତ୍ତୀ ସମୟରେ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର ଯେପରି ହେବା କଥା, ତାହା ହେଲା ନାହିଁ । ତେଣୁ ଏହି ପ୍ରଶିକ୍ଷଣକୁ ସରକାର ଗୁରୁତ୍ୱର ସହ ନେଇଛନ୍ତି । ମାତ୍ର କେବଳ ଏହା ରାଜଧାନୀରେ ସୀମିତ ରହିବ ନା ବିଭିନ୍ନ ଜିଲ୍ଲା ଓ ବ୍ଲକ୍ ସ୍ତରରେ ମଧ୍ୟ ଏହିଭଳି ପ୍ରଶିକ୍ଷଣ ଦିଆଯିବ, ତାହା ପରବର୍ତ୍ତୀ ସମୟରେ ଜଣାପଡ଼ିବ ବୋଲି ଡ. ଦାସ ମହାପାତ୍ର କହିଛନ୍ତି ।