ବଦଳିବ ରାଜ୍ୟ କଂଗ୍ରେସ

ବଦଳିବ ରାଜ୍ୟ କଂଗ୍ରେସ

ବଦଳିବ ରାଜ୍ୟ କଂଗ୍ରେସ
ଭୁବନେଶ୍ୱର : ସାଧାରଣ ନିର୍ବାଚନରେ ଉଭୟ କେନ୍ଦ୍ର ଓ ରାଜ୍ୟରେ ବିପର୍ଯ୍ୟୟର ସାମ୍ନା କରିବା ପରେ କଂଗ୍ରେସ ସାଂଗଠନିକ ସ୍ଥିତି ସୁଦୃଢ଼ କରିବା ପାଇଁ ଯୋଜନା କରିଛି । ଗୋଟିଏ ପଟେ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ସଭାପତି ପଦରୁ ଇସ୍ତଫା ଦେବା ଜିଦରେ ଅଟଳ ଥିବାବେଳେ ଖୁବଶୀଘ୍ର କଂଗ୍ରେସ ନୂଆ ସଭାପତି ଚୟନ କରିବାକୁ ଯାଉଛି । ଅପରପକ୍ଷରେ ରାଜ୍ୟ କଂଗ୍ରେସର ମଧ୍ୟ ନବକଳେବର ହେବବୋଲି ଜାଣିବାକୁ ମିଳିଛି । ଏନେଇ ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂହ କହିଛନ୍ତିଯେ, ରାଜ୍ୟ କଂଗ୍ରେସର ଆମୂଳଚୁଳ ପରିବର୍ତନ କରାଯିବ । ପିସିସି ସାଂଗଠନିକସ୍ତରରେ ଖୁବଶୀଘ୍ର ପରବର୍ତନ କରାଯିବ । ଜୋନ ଓ ବ୍ଲକ ଠାରୁ ନେଇ ପିସିସି ପର୍ଯ୍ୟନ୍ତ ସବୁ କିଛି ପୁନର୍ଗଠିତ ହେବ ବୋଲି ସେ କହିଛନ୍ତି । ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କୁ ଭେଟି ଆଲୋଚନା କରିଥିଲେ । ଆଲୋଚନା ପରେ ଶ୍ରୀ ସିଂହ କହିଲେଯେ, ନିରଞ୍ଜନଙ୍କ ସହ ଦଳର ସାଂଗଠନିକ ସ୍ଥିତି ନେଇ ଆଲୋଚନା ହୋଇଛି । ତୃଣମୂଳସ୍ତରରୁ କଂଗ୍ରେସକୁ ପୁଣି ସଂଗଠିତ କରାଯିବ । ଦଳକୁ ମଜବୁତ କରିବା ପାଇଁ ନୂଆ ନୂଆ ନେତାଙ୍କୁ ସୁଯୋଗ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟଯେ, ୨୦୧୯ ସାଧାରଣ ନିର୍ବାଚନରେ ଲୋକସଭାରେ କଂଗ୍ରେସ ବିରୋଧୀ ଦଳ ମାନ୍ୟତା ପାଇବା ପାଇଁ ଆବଶ୍ୟକୀୟ ସଂଖ୍ୟା ହାସଲ କରିବାରେ ବିଫଳ ହୋଇଛି । କ୍ରମାଗତ ଦ୍ୱିତୀୟ ଥର ପାଇଁ କଂଗ୍ରେସ ଏଭଳି ଦୟନୀୟ ସ୍ଥିତିର ସାମ୍ନା କରିଛି । ଅପରପକ୍ଷରେ ଓଡ଼ିଶାରେ ବି ଚରମ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଦଳର ବିଧାୟକଙ୍କ ସଂଖ୍ୟା ଦୁଇ ଅଙ୍କ ବି ଛୁଇଁପାରିନାହିଁ ।