ବାଳକକୁ ବଞ୍ଚାଇବା ପରେ ନିଜ ଜୀବନ ଦେଇ ଦେଲେ ପ୍ରଦୀପ
ବାଳକକୁ ବଞ୍ଚାଇବା ପରେ ନିଜ ଜୀବନ ଦେଇ ଦେଲେ ପ୍ରଦୀପ
ଛେଣ୍ଡିପଦା: ମରଣ ସହ ଲଢ଼ି ମରଣ ମୁହଁରୁ ଜଣେ ନାବାଳକକୁ ଭିଡ଼ି ଆଣିଲେ କିନ୍ତୁ ନିଜେ ମରଣକୁ ଜିତି ପାରିଲେନି । ଜଣଙ୍କୁ ବଞ୍ଚାଇବା ପରେ ନିଜ ଜୀବନ ଦେଇଦେଲେ । ଏମିତି ଏକ ଦୁଃଖଦ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ । ଛେଣ୍ଡିପଦା ବ୍ଲକ ଶିମିଳିପାଳ ପଞ୍ଚାୟତ ପୂରିଆପାଟ ବନଦୁର୍ଗା ମନ୍ଦିର ପରିସରରେ ଥିବା କୂଅରେ ପଡ଼ିଯାଇଥିବା ଜଣେ ନାବାଳକଙ୍କୁ ଉଦ୍ଧାର କରିବା ପରେ ପ୍ରଦୀପ ପ୍ରଧାନ (୨୮) କୂଅରୁ ବାହାରି ନ ପାରି ମୃତୁ୍ୟବରଣ କରିଛନ୍ତି । ସକାଳେ ଶିମିଳିପାଳ ଗାଁର ଶିବ ଦେହୁରୀଙ୍କ ଅଢେ଼ଇ ବର୍ଷର ଶିଶୁ ଶୁଭମ ମନ୍ଦିର ପରିସର କୂଅ ପିଣ୍ଡିରେ ବସି ଖେଳୁଥିଲେ । ସାତ ଫୁଟ ଓସାର ଓ ୩୦ ଫୁଟ ଗଭୀର କୂଅ ଉପରେ ସିମେଣ୍ଟ ସ୍ଲାବ ପଡ଼ିଥିବା ବେଳେ ପାଣି କାଢ଼ିବାକୁ ଛୋଟ ଫାଙ୍କ ରହିଥିଲା । ସିମେଣ୍ଟ ସ୍ଲାବ ଉପରେ ଖେଳୁଥିବା ବେଳେ ଶୁଭମ ସ୍ଲାବ ଫାଙ୍କରେ ଗଳି କୂଅ ଭିତରେ ପଡ଼ିଯାଇଥିଲେ । କୂଅରେ ପଡ଼ିଯିବା ଦେଖି ପାଖରେ ଥିବା ଶିମିଳିପାଳ ଗାଁର ପ୍ରଦୀପ ପ୍ରଧାନ (୨୮), ଶୁକ୍ରୁ ପଧାନ (୨୪) ଓ ଦୀପ ଦେହୁରୀ (୨୦) ସ୍ଲାବ ଫାଙ୍କ ଦେଇ କୂଅରେ ପଶିଥିଲେ । ସେମାନେ ସୁରକ୍ଷିତ ଭାବେ ଶୁଭମଙ୍କୁ ଉଦ୍ଧାର କରିଥିଲେ । ଶୁଭମଙ୍କୁ ଉଦ୍ଧାର ପରେ ଦୀପ ଓ ଶୁକ୍ରୂ କୂଅରୁ ବାହାରି ଆସିଥିଲେ । କିନ୍ତୁ ପ୍ରଦୀପ ଆଉ ବାହାରି ପାରିନଥିଲେ । କୂଅ ଭିତରେ ଅଣନିଃଶ୍ୱାସୀ ହୋଇ ସେ ପାଣିରେ ବୁଡ଼ି ଯାଇଥିଲେ । ଫଳରେ ତାଙ୍କର ମୃତୁ୍ୟ ହୋଇଥିଲା । ଏହି ଘଟଣା ଅଞ୍ଚଳରେ ଶୋକ ଖେଳାଇ ଦେଇଛି ।