୩ ଦିନ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ
୩ ଦିନ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ
admin
Jun 22, 2021 - 06:21
Updated: Jun 22, 2021 - 06:21
ଭୁବନେଶ୍ୱର : ଆସନ୍ତା ୩ ଦିନ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବ । ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ବରଗଡ଼, ସୋନପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଆଦି ଜିଲ୍ଲାର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ । ସେହିଭଳି ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏଣୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୨୩ ଓ ୨୪ ତାରିଖରେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଏହାପରେ ଆଉ ବିଶେଷ ବର୍ଷାର ସମ୍ଭାବନା ନାହିଁ । ଜୁନ ଶେଷ ସପ୍ତାହରେ ରାଜ୍ୟରେ ପାଗ ପ୍ରାୟତଃ ଶୁଖିଲା ରହିବ । କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୁତାବକ ଜୁନ ୧ରୁ ୨୧ତାରିଖ ସୁଦ୍ଧା ଓଡ଼ିଶାରେ ହାରାହାରି ୧୩୬.୩ ମିମି ବର୍ଷା ହୋଇଯାଇଛି । ଏହା ସ୍ୱାଭାବିକ ବର୍ଷା ୧୨୬.୬ ମିମିଠାରୁ ପ୍ରାୟ ୮ପ୍ରତିଶତ ଅଧିକ । ତେବେ ଏହି ଅବଧି ମଧ୍ୟରେ ରାୟଗଡ଼ା, ଗଞ୍ଜାମ, ଗଜପତି, ନୟାଗଡ଼, ଯାଜପୁର, ଭଦ୍ରକ ଓ କେନ୍ଦୁଝର ଆଦି ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି, ଯାହା ସ୍ୱାଭାବିକ ବର୍ଷାଠାରୁ ୨୦ରୁ ୫୯% କମ । ସେହିଭଳି ଏହି ଅବଧି ମଧ୍ୟରେ ୩ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡା ଓ କୋରାପୁଟରେ ସ୍ୱାଭାବିକଠାରୁ ଅତ୍ୟଧିକ ଅର୍ଥାତ ୬୦% କିମ୍ବା ତା’ଠାରୁ ଅଧିକ ବର୍ଷା ହୋଇଛି । ଅନ୍ୟପଟେ ୮ ଜିଲ୍ଲା ଯଥା, କଟକ, ପୁରୀ, ଦେବଗଡ଼, ସମ୍ବଲପୁର, ବରଗଡ଼, ସୋନପୁର, ନୂଆପଡ଼ା ଓ ମାଲକାନଗିରିଠାରେ ସ୍ୱାଭାବିକଠାରୁ ୨୦ରୁ ୫୯ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ଅବଶିଷ୍ଟ ୧୨ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଯାଇଥିବା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଝାରସୁଗୁଡ଼ା ଜିଲ୍ଲାରେ ସର୍ବାଧିକ ୨୦୩.୪ମିମି ଓ ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ୬୪.୨ ମିମି ବର୍ଷା ରେକର୍ଡ ହୋଇଛି ।