ସାଲେପୁର ରାଜନୀତି: ବିଜେପିର ଚିନ୍ତା ବଢ଼ାଇଲେ ରବି କର
ସାଲେପୁର ରାଜନୀତି: ବିଜେପିର ଚିନ୍ତା ବଢ଼ାଇଲେ ରବି କର
admin
Apr 7, 2019 - 10:43
Updated: Apr 7, 2019 - 10:43
ଭୁବନେଶ୍ୱର: ସାଲେପୁର ରାଜନୀତି ଏବେ ନୂଆ ମୋଢ଼ ନେଇଛି । ରବିନ୍ଦ୍ର କରଙ୍କୁ କଂଗ୍ରେସ ପ୍ରାର୍ଥୀ କରିବା ପରେ କଂଗ୍ରେସ ଶିବିରରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି । ଅପର ପକ୍ଷରେ ରବିନ୍ଦ୍ର କରଙ୍କ ଭଳି ଜଣେ ଟାଣୁଆ ନେତାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବାରୁ ବିଜେପି ଶିବିରରେ ଚହଳ ପଡିଯାଇଛି ।
ସାଲେପୁରର କଂଗ୍ରେସ ବିଧାୟକ ପ୍ରକାଶ ବେହେରା ଦଳ ଛାଡି ବିଜେପିରେ ସାମିଲ ହୋଇଥିଲେ । ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ହଠାତ ପ୍ରକାଶ ଦଳ ଛାଡିଥିବାରୁ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ସେ ନେଇ ବେଶ କସରତ କରିଥିଲା । ଅପରପକ୍ଷରେ କଂଗ୍ରେସରୁ ପ୍ରକାଶ ବେହେରା ଯାଇଥିଲେ ମଧ୍ୟ ଦଳରେ ଅନେକ ପକେଟ ଭୋଟ ରହିଛି । ସାଲେପୁରରେ କଂଗ୍ରେସ ଯେଭଳି ଟାଣୁଆ ପ୍ରାର୍ଥୀ ନଦେବ ସେଥିପାଇଁ ଏକ ଗୋଷ୍ଠି ଢେ଼ର କସରତ କରିଥିଲେ । ଏମିତିକି କଂଗ୍ରେସର କେତେକ ବରିଷ୍ଠ ନେତାଙ୍କ ସହ ଯୋଗସୂତ୍ରରେ ରହି ଜାଣିଶୁଣି ସାଲେପୁରରେ ଦୁର୍ବଳ ପ୍ରାର୍ଥୀ ଦେବାକୁ ଯୋଜନା କରାଯାଇଥିଲା । କଂଗ୍ରେସର କେତେକ ନେତା ଏଭଳି ଯୋଜନା ସମ୍ପର୍କରେ ଅବଗତ ହୋଇଥିଲେ । ସାଲେପୁର କଂଗ୍ରେସର ଆଗଧାଡିର ନେତା ଓ ପିସିସିର କେତେକ ଉଚ୍ଚ ପଦସ୍ଥ କାର୍ଯ୍ୟକର୍ତା ମିଶି ଏବେ ରବିନ୍ଦ୍ର କରଙ୍କୁ ପ୍ରାର୍ଥୀ କରିଛି । ରବି କର ଏବେ ପ୍ରାର୍ଥୀ ହେବା ସଂପର୍କରେ ଘୋଷଣା ହେବା ପରେ ବିଜେପି ଶିବିରରେ ନୈରାଶ ଖେଳିଯାଇଥିବା କୁହାଯାଉଛି କାହିଁକି ନାଁ ରବି କର ପ୍ରାର୍ଥୀ ହେଲେ ସେ କଂଗ୍ରେସର ପାଖାପାଖି ୩୦ ରୁ ୩୫ ହଜାର ପକେଟ ଭୋଟ ନିଜ ପାଖରେ ରଖିବାକୁ ସମର୍ଥ ହେବେ । ରବି କରଙ୍କୁ ପ୍ରାର୍ଥୀ କରାଯିବା ପରେ ସାଲେପୁର କଂଗ୍ରେସରେ ଉତ୍ସାହ ଖେଳିଯାଇଥିବା ବେଳେ ତାଙ୍କୁ ସମ୍ବଦ୍ଧନାର ସୁଅ ଛୁଟଛି । ଆଗାମୀ ଦିନରେ ରବି କର ହିଁ ସାଲେପୁର ରାଜନୀତିରେ ନିର୍ଣ୍ଣାୟକ ନେବେ ବୋଲି କୁହାଯାଉଛି । ତେବେ କେତେକ ଷଡଯନ୍ତ୍ରକାରୀ ଏବେ ମଧ୍ୟ ରବି କରଙ୍କ ଟିକେଟ କଟା ଯାଇପାରିବ ସେ ନେଇ ଉଦ୍ୟମ ଆରମ୍ଭ କରି ଦେଇଥିବା ଚର୍ଚ୍ଚା ହେଲାଣି । ଏଭଳି ଚର୍ଚ୍ଚା ଶୁଣିବା ପରେ ସାଲେପୁର କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ଯଦି ପିସିସି ରବି କରଙ୍କ ବଦଳରେ ଅନ୍ୟ ଜଣଙ୍କୁ ଟିକେଟ ଦେବାକୁ ଚିନ୍ତା କରେ ଦେବେ ଦଳକୁ ବହୁତ ମହଙ୍ଗା ପଡିବ ।