ଚୀନକୁ ଆମେରିକାର ଚେତାବନୀ

ଚୀନକୁ ଆମେରିକାର ଚେତାବନୀ

ଚୀନକୁ ଆମେରିକାର ଚେତାବନୀ
ବେଜିଂ: କରୋନା ଭାଇରସକୁ ନେଇ ବିଶ୍ୱସ୍ତରରେ କଡ଼ା ସମାଲୋଚନାକୁ ସାମ୍ନା କରୁଥିବା ଚୀନ ଏବେ ଭୂତାଣୁ ଉତ୍ପତ୍ତି ସମ୍ପର୍କରେ ଅନ୍ତର୍ଜାତୀୟ ତଦନ୍ତ ନିମନ୍ତେ ସମ୍ପୂର୍ଣ୍ଣ ରାଜି ହୋଇଛି । ଚୀନରେ ଅନ୍ତର୍ଜାତୀୟ ତଦନ୍ତକାରୀ ଟିମର ପ୍ରବେଶଠାରୁ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ପ୍ରତ୍ୟେକଟି କ୍ଷେତ୍ରରେ ଚୀନ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ବିଦେଶ ମନ୍ତ୍ରୀ ୱାଙ୍ଗ ୱି କହିଛନ୍ତି । ତେବେ ଏହି ତଦନ୍ତ ସମ୍ପୂର୍ଣ୍ଣ ନିରପେକ୍ଷ ଓ ରାଜନୈତିକ ହସ୍ତକ୍ଷେପରୁ ମୁକ୍ତ ହେବା ଆବଶ୍ୟକ ବୋଲି ସେ କହିଛନ୍ତି । ଚୀନକୁ ବଦନାମ କରିବା ପାଇଁ ଆମେରିକା ‘ରାଜନୈତିକ ଭୂତାଣୁ’ ବ୍ୟବହାର କରୁଛି ଏବଂ ଏକ ନୂଆ ଶୀତଳ ଯୁଦ୍ଧ ସ୍ଥିତି ସୃଷ୍ଟି କରୁଛି ବୋଲି ୱାଙ୍ଗ କହିଛନ୍ତି । ଆମେରିକା ଏଭଳି ପଦକ୍ଷେପରୁ ଦୂରେଇ ନ ରହିଲେ ସଙ୍କଟ ବଢ଼ିବ ବୋଲି ସେ କହିଛନ୍ତି । କରୋନା ଭାଇରସର ଉତ୍ପତ୍ତି ପାଇଁ ଆମେରିକା ସିଧାସଳଖ ଚୀନକୁ ଦାୟୀ କରିବା କାର୍ଯ୍ୟାନୁଷ୍ଠାନ ଦାବି କରି ଆସୁଛି । ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସମ୍ମିଳନୀରେ ଶତାଧିକ ରାଷ୍ଟ୍ର ଏହାର ତଦନ୍ତ ପାଇଁ ସହମତି ପ୍ରକାଶ କରିବା ପରେ ଚୀନର ସମସ୍ୟା ବଢ଼ିଯାଇଥିଲା । ଏବେ ଚୀନ ତଦନ୍ତ ପାଇଁ ପୂର୍ଣ୍ଣ ସହମତି ପ୍ରକାଶ କରିଥିବାରୁ ଏ ଦିଗରେ କାର୍ଯ୍ୟ ତ୍ୱରାନ୍ୱିତ ହେବ । ଏବେ ଚୀନ ଆମେରିକା ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି । ଦକ୍ଷିଣ ଚୀନ ସାଗରରେ ଉଭୟ ଦେଶ ଯୁଦ୍ଧପୋତ ମୁତୟନ କରି ମୁହାଁମୁହିଁ ସ୍ଥିତିରେ ଅଛନ୍ତି ।