ରାଜ୍ୟମାନ୍ୟତା ହରାଇଲା : ଜାମ୍ମୁକାଶ୍ମୀର ହେବ କେନ୍ଦ୍ରଶାସିତ ଅଂଚଳ

ରାଜ୍ୟମାନ୍ୟତା ହରାଇଲା : ଜାମ୍ମୁକାଶ୍ମୀର ହେବ କେନ୍ଦ୍ରଶାସିତ ଅଂଚଳ

ରାଜ୍ୟମାନ୍ୟତା ହରାଇଲା : ଜାମ୍ମୁକାଶ୍ମୀର ହେବ କେନ୍ଦ୍ରଶାସିତ ଅଂଚଳ
ନୂଆଦିଲ୍ଲୀ : ଜାମ୍ମୁକାଶ୍ମୀର ଆଉ ରାଜ୍ୟ ହୋଇ ରହିବ ନାହିଁ । ଏହା କେନ୍ଦ୍ର ଶାସିତ ଅଂଚଳ ଭାବେ ପରିଗଣିତ ହେବ । ଜାମ୍ମୁକାଶ୍ମୀରରୁ ଲଦାଖକୁ ଅଲଗା କରାଯିବ । ଜାମ୍ମୁକାଶ୍ମୀରରେ ବିଧାନସଭା ରହିବ । ହେଲେ ଲଦାଖରେ ବିଧାନସଭା ରହିବ ନାହିଁ । ଅପରପକ୍ଷରେ ଧାରା ୩୭୦ ବଳରେ ଜାମ୍ମୁକାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳୁଥିବାବେଳେ ଏହି ଧାରାକୁ ମଧ୍ୟ ଉଚ୍ଛେଦ କରାଯିବ । ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସଂକଳ୍ପ ଆଣିଛନ୍ତି । ମୋଦି ସରକାର ଐତିହାସିକ ନିଷ୍ପତି ନେଇଛନ୍ତି । କାଶ୍ମୀରରୁ ଧାରା ୩୭୦ ହଟାଇବା ପାଇଁ ସରକାର ନିଷ୍ପତି ଗ୍ରହଣ କରିଛନ୍ତି । ବିଗତ କିଛି ବର୍ଷ ଧରି ଏହି ଧାରା ଉଠିବ କି ନାହିଁ ତାହାକୁ ନେଇ ବିବାଦ ଜାରିରହିଥିଲା । ବିଶେଷକରି ଏହି ଧାରା ହଟାଇବା ପାଇଁ ବିଜେପି ଦାବି କରି ଆସୁଥିଲା । ଏବେ ବିଜେପିର ଏହି ସଂକଳ୍ପକୁ ମୋଦି ସରକାର କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ଭାରତର ସମ୍ବିଧାନର ଧାରା-୩୭୦ରେ ଜାମ୍ମୁକାଶ୍ମୀରକୁ କେତେକ ସ୍ୱତନ୍ତ୍ର କ୍ଷମତା ଦିଆଯାଇଛି । ୧୯୪୯ ଅକ୍ଟୋବର ୧୭ରେ ଭାରତର ତକôାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଓ ଜାମ୍ମୁକାଶ୍ମୀର ରାଜା ହରି ସିଂହଙ୍କ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷରିତ ହେବା ପରେ ଏହି ଧାରା ସମ୍ବିଧାନରେ ସଂଯୋଗ କରାଯାଇଥିଲା । ଏହା ଏକ ଅସ୍ଥାୟୀ ଧାରା । ତେବେ ଏହି ଧାରା ଉଚ୍ଛେଦ କେବଳ ଭାରତ ସରକାର କରିପାରିବେ ନାହିଁ । ଜାମ୍ମୁ କାଶ୍ମୀର ବିଧାନସଭାରେ ମଧ୍ୟ ଏସଂକ୍ରାନ୍ତୀୟ ବିଧେୟକ ପାରିତ ହେବା ଦରକାର । ଦୁଇ ତୃତୀୟାଂଶ ସଭ୍ୟ ଏହି ବିଧେୟକକୁ ସମର୍ଥନ କରିବାର ଆବଶ୍ୟକତା ରହିଛି । ଅପରପକ୍ଷରେ ଏସଂକ୍ରାନ୍ତୀୟ ମାମଲା ଏବେ ଜାତିସଂଘରେ ମଧ୍ୟ ପଡ଼ିରହିଛି । ଧାରା - ୩୫ (କ) ଧାରା ୩୫ (କ) ହେଉଛି ସବୁଠାରୁ ଖତରନାକ ଧାରା । ଯେଉଁ ଧାରା ବଳରେ କାଶ୍ମୀର ଭାରତ ଅଧିନରେ ନୁହେଁ ବରଂ ଭାରତ କାଶ୍ମୀର ଅଧିନରେ ଥିବାଭଳି ପ୍ରତୀୟମାନ ହୋଇଥାଏ । ଏହି ଧାରା ଅନୁଯାୟୀ, ଜାମ୍ମୁ କାଶ୍ମୀରର ସ୍ଥାୟୀ ବାସିନ୍ଦାଙ୍କ ବ୍ୟତୀତ ଅନ୍ୟ ରାଜ୍ୟର ବାସିନ୍ଦା ସେଠାରେ ଜାଗା କିଣିପାରିବେ ନାହିଁ । ସେଠାକାର ବାସିନ୍ଦା କିନ୍ତୁ ଭାରତର ଯେକୌଣସି ସ୍ଥାନରେ ଜାଗା କିଣିପାରିବେ । କାଶ୍ମୀରରେ ଦ୍ୱୈତ ନାଗରିକ ବ୍ୟବସ୍ଥା ରହିଛି । ସେଠାକାର ଯୁବତୀ ଯଦି ଅନ୍ୟ କୌଣସି ରାଜ୍ୟର ଯୁବକଙ୍କୁ ବିବାହ କରନ୍ତି ତେବେ ସଂପୃକ୍ତ ଯୁବତୀ ଉକ୍ତ ରାଜ୍ୟର ନାଗରିକତା ହରାଇବେ । ତାଙ୍କୁ ସମ୍ପତିଗତ ଅଧିକାର ମଧ୍ୟ ମିଳିବ ନାହିଁ । ସେହିପରି ଧାରା-୩୬୦ ଅନୁଯାୟୀ ସାରା ଦେଶରେ ଆର୍ଥିକ ଜରୁରୀ ପରିସ୍ଥିତି ଘୋଷଣା ହେବାର ବ୍ୟବସ୍ଥା ଥିଲେହେଁ କାଶ୍ମୀରରେ ଏଭଳି ଜରୁରୀ ପରିସ୍ଥିତି ଘୋଷଣା କରାଯାଇପାରିବ ନାହିଁ । ତେବେ ଏହା ଏକ ଅସ୍ଥାୟୀ ଆଇନ ଥିଲା । ରାଷ୍ଟ୍ରପତିଙ୍କ ଆଦେଶ କ୍ରମେ ଏହା ଜାରି କରାଯାଇଥିଲା ।