କାହିଁକି ଓ କେବେଠୁ ପାଳନ ହୁଏ ଜାତୀୟ କ୍ରୀଡା ଦବସ, ଜାଣନ୍ତୁ

କାହିଁକି ଓ କେବେଠୁ ପାଳନ ହୁଏ ଜାତୀୟ କ୍ରୀଡା ଦବସ, ଜାଣନ୍ତୁ

ନୂଆଦିଲ୍ଲୀ: ମେଜର ଧ୍ୟାନଚାନ୍ଦ.....ତମାମ କ୍ରୀଡାପ୍ରେମୀଙ୍କ ପାଇଁ ସେ ଥିଲେ ପ୍ରେରଣା । ଦିନେ ହକିରେ ଚମତ୍କାର ପ୍ରଦର୍ଶନ କରି ଭାରତକୁ ବିଶ୍ବ ସ୍ତରରେ ଏକ ସ୍ବତନ୍ତ୍ର ସ୍ଥାନ ଦେଇଥିଲେ ଓ ଜାତୀୟ ହକି ଜଗତରେ ପ୍ରତିଷ୍ଠା କରିପାରିଥିଲେ ନିଜର ସ୍ବତନ୍ତ୍ର ପରିଚୟ । କ୍ରୀଡା କ୍ଷେତ୍ରରେ ତାଙ୍କ ଦକ୍ଷତା ଓ ସଫଳତା ପାଇଁ ତାଙ୍କୁ ହକିର ଯାଦୁଗର ମଧ୍ୟ କୁହାଯାଏ । ଆଜି ସେହି ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନ । ପ୍ରତିବର୍ଷ ଆଜିର ଦିନରେ ବା ଅଗଷ୍ଟ ୨୯କୁ 'ଜାତୀୟ କ୍ରୀଡା ଦିବସ' ଭାବେ ପାଳନ କରୁଛି ଦେଶ । ଖେଳ ପ୍ରତି ତାଙ୍କର ଅବଦାନ ଥିଲା ଅତୁଳନୀୟ, ତାଙ୍କ ପାଇଁ କ୍ରୀଡା କ୍ଷେତ୍ରରେ ଲେଖା ହୋଇଥିଲା ନୂଆ ଇତିହାସ । ହକିକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ପହଞ୍ଚାଇ ଦେଶ ପାଇଁ ଗୌରବ ଆଣିଥିଲେ ଏହି ବିରାଟ ଖେଳାଳି । ଆଜି ତାଙ୍କ ୧୧୭ ତମ ଜନ୍ମଜୟନ୍ତୀ ।
ମେଜର ଧ୍ୟାନଚାନ୍ଦଅଗଷ୍ଟ ୨୯, ୧୯୦୫ରେ ଉତ୍ତରପ୍ରଦେଶର ଆହ୍ଲାବାଦ ସହରର ଏକ ରାଜପୁତ ପରିବାରରେ ଜନ୍ମଗ୍ରହଣ କରିଥିଲେ ଭାରତର ସର୍ବଶ୍ରେଷ୍ଠ ହକି ଖେଳାଳି ମେଜର ଧ୍ୟାନଚାନ୍ଦ ।
କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନତାଙ୍କ ନେତୃତ୍ବରେ ଭାରତ ୧୯୨୮, ୧୯୩୪ ଓ ୧୯୩୬ ଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲେ । ୧୯୩୬ର ବର୍ଲିନ ଅଲିମ୍ପିକ ଗେମ୍ସରେ ସେ ଭାରତୀୟ ହକି ଦଳର ଅଧିନାୟକ ଭାବରେ ନିର୍ବାଚିତ ହୋଇଥିଲେ । ମେଜର ଧ୍ୟାନଚାନ୍ଦ ୧୯୨୬ ରୁ ୧୯୪୮ ପର୍ୟ୍ୟନ୍ତ ତାଙ୍କ କ୍ୟାରିୟରରେ ୪୦୦ରୁ ଅଧିକ ଅନ୍ତର୍ଜାତୀୟ ଗୋଲ ସ୍କୋର କରିଥିବାବେଳେ ତାଙ୍କ ସମଗ୍ର କ୍ୟାରିୟରରେ ପ୍ରାୟ ୧୦୦୦ ଗୋଲ ସ୍କୋର କରିଥିଲେ । ମେଜର ଧ୍ୟାନଚାନ୍ଦଙ୍କୁ ୧୯୬୫ ମସିହାରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା ।ଜାତୀୟ କ୍ରୀଡା ଦିବସ ଅବସରରେ ଖେଳ ଜଗତରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରାଯାଇଥାଏ । ଏହି ଦିନ ଭାରତର ରାଷ୍ଟ୍ରପତି ପ୍ରମୁଖ କ୍ରୀଡ଼ା ବ୍ୟକ୍ତିତ୍ୱଙ୍କୁ ଖେଳ ରତ୍ନ, ଅର୍ଜୁନ ପୁରସ୍କାର, ଦ୍ରୋଣାଚାର୍ୟ୍ୟ ପୁରସ୍କାର ଏବଂ ଧ୍ୟାନଚାନ୍ଦ ପୁରସ୍କାର ପ୍ରଦାନ କରାଯାଇଥାଏ ।
ମେଜର ଧ୍ୟାନଚାନ୍ଦଙ୍କ ସ୍ମୃତିରେ ତାଙ୍କ ଜନ୍ମ ତିଥିକୁ 'ଜାତୀୟ କ୍ରୀଡା ଦିବସ' ଭାବେ ୨୦୧୨ ମସିହାରେ ସରକାର ଘୋଷଣା କରିଥିଲେ । ସେ ଏକମାତ୍ର ହକି ଖେଳାଳି ଯିଏକି ପଦ୍ମ ଭୂଷଣ ପୁରସ୍କାର ପାଇଛନ୍ତି । ତାଙ୍କର ଆଜୀବନ ପୁରସ୍କାର ଏବଂ କ୍ରୀଡ଼ାରେ ସଫଳତା ଭାରତୀୟ କ୍ରୀଡ଼ା ଇତିହାସରେ ସର୍ବୋଚ୍ଚ ବିନ୍ଦୁ ଭାବରେ ବିବେଚନା କରାଯାଏ । ୧୯୭୯ ଡିସେମ୍ବର ୩ରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।