ଇ-ଶ୍ରମ ପୋର୍ଟାଲ୍‌ରେ ପଞ୍ଜୀକରଣ; ଓଡ଼ିଶା ଆଗରେ

ଇ-ଶ୍ରମ ପୋର୍ଟାଲ୍‌ରେ ପଞ୍ଜୀକରଣ; ଓଡ଼ିଶା ଆଗରେ

ଇ-ଶ୍ରମ ପୋର୍ଟାଲ୍‌ରେ ପଞ୍ଜୀକରଣ; ଓଡ଼ିଶା ଆଗରେ

ନୂଆଦିଲ୍ଲୀ :  ଦୁଇ ମାସ ମଧ୍ୟରେ ଇ-ଶ୍ରମ ପୋର୍ଟାଲରେ ୪ କୋଟିରୁ ଅଧିକ ଅସଂଗଠିତ କ୍ଷେତ୍ରର ଶ୍ରମିକ ପଞ୍ଜୀକରଣ କରିଛନ୍ତି । ସର୍ବାଧିକ ସଂଖ୍ୟକ ଶ୍ରମିକ ପଞ୍ଜୀକରଣ କରିବାରେ ଓଡ଼ିଶା ଆଗରେ ରହିଛି । ଓଡ଼ିଶାର ୮୮ ଲକ୍ଷ ୩୫ ହଜାର ୫୭୨ ଜଣ ଶ୍ରମିକ ଏହି ପୋର୍ଟାଲ୍‌ରେ ପଞ୍ଜୀକରଣ କରିଛନ୍ତି। ଟୁଇଟ୍ ଯୋଗେ ଏହି ସୂଚନା ଦେଇଛନ୍ତି  ଶ୍ରମ ଏବଂ ନିୟୋଜନ ମନ୍ତ୍ରୀ ଭୂପେନ୍ଦର ଯାଦବ।  

ନିର୍ମାଣ, ବସ୍ତ୍ର ଉତ୍ପାଦନ, ମତ୍ସ୍ୟଚାଷ, ଗିଗ୍ ଓ ପ୍ଲାଟଫର୍ମ କାମ, ଉଠାଦୋକାନୀ, ଘରୋଇ କର୍ମଜୀବୀ, କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର, ପରିବହନ କ୍ଷେତ୍ର ଆଦି ବିଭିନ୍ନ କ୍ଷେତ୍ରର ଶ୍ରମିକମାନେ ଏହି ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି। ଏଥିମଧ୍ୟରୁ କେତେକ କ୍ଷେତ୍ରରେ ବହୁସଂଖ୍ୟାରେ ପ୍ରବାସୀ ଶ୍ରମିକ ନିୟୋଜିତ ଅଛନ୍ତି। ପ୍ରବାସୀ ଶ୍ରମିକଙ୍କ ସମେତ ଅସଂଗଠିତ କ୍ଷେତ୍ରର ସମସ୍ତ ଶ୍ରମିକ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକରଣ କରିବା ଜରିଆରେ ସରକାରଙ୍କ ବିଭିନ୍ନ ସାମାଜିକ ସୁରକ୍ଷା ଏବଂ ନିଯୁକ୍ତି ଆଧାରିତ ଯୋଜନାର ଲାଭ ପାଇବାକୁ ସକ୍ଷମ ହେବେ।

ସଦ୍ୟତମ ତଥ୍ୟ ଅନୁଯାୟୀ, ୪.୦୯ କୋଟି ଶ୍ରମିକ ଏହି ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି। ଏଥିମଧ୍ୟରୁ ୫୦.୦୨ ପ୍ରତିଶତ ହିତାଧିକାରୀ ମହିଳା ଏବଂ ୪୯.୯୮ ପ୍ରତିଶତ ହିତାଧିକାରୀ ପୁରୁଷ । ପ୍ରାୟତଃ ସମାନ ସଂଖ୍ୟକ ପୁରୁଷ ଏବଂ ମହିଳାମାନେ ଏହି ଅଭିଯାନର ଅଂଶବିଶେଷ ହେବା ବିଶେଷ ଉତ୍ସାହଜନକ। ଲିଙ୍ଗ ଅନୁପାତରେ ସାପ୍ତାହିକ ପଞ୍ଜୀକରଣ ବୃଦ୍ଧି ପରିଲକ୍ଷିତ ହୋଇଛି। ପୁରୁଷ ଓ ମହିଳା ଶ୍ରମିକମାନେ ତୁଳନାତ୍ମକ ଭାବେ ପଞ୍ଜୀକରଣ କରୁଛନ୍ତି, ଯାହାକି ନିମ୍ନ ଗ୍ରାଫରେ ପ୍ରଦର୍ଶିତ କରାଯାଇଛି।

 ଏହି ପୋର୍ଟାଲରେ ଶ୍ରମିକ ପଞ୍ଜୀକରଣ କରିବାରେ ଓଡ଼ିଶା ସବୁଠୁ ଆଗରେ ରହିଥିବା ବେଳେ ଏହାପଛକୁ ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ବିହାର ଏବଂ ମଧ୍ୟପ୍ରଦେଶ ରହିଛନ୍ତି। ନିମ୍ନ ଗ୍ରାଫରେ ଏହାର ତଥ୍ୟ ପ୍ରଦାନ କରାଯାଇଛି। ତେବେ ଛୋଟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକରେ ମଧ୍ୟ ଶ୍ରମିକ ପଞ୍ଜୀକରଣ ସଂଖ୍ୟା ଉତ୍ସାହଜନକ ରହିଛି।

କୃଷି ଏବଂ ନିର୍ମାଣ ଶ୍ରମିକ କ୍ଷେତ୍ରର ସର୍ବାଧିକ ସଂଖ୍ୟକ ଶ୍ରମିକ ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି। ଭାରତରେ ଏହି ଦୁଇଟି କ୍ଷେତ୍ରରେ ସର୍ବାଧିକ ସଂଖ୍ୟକ ଲୋକମାନଙ୍କୁ ନିଯୁକ୍ତି ମିଳିଥାଏ। ଏହାଛଡ଼ା ଘରୋଇ ଏବଂ ପାରିବାରିକ ଶ୍ରମିକ, ବସ୍ତ୍ର ଉତ୍ପାଦନ କ୍ଷେତ୍ରର ଶ୍ରମିକ, ଅଟୋମୋବାଇଲ ଏବଂ ସାମଗ୍ରୀ ପରିବହନ ଶ୍ରମିକ, ଇଲେକ୍ଟ୍ରୋନିକ୍ସ ଏବଂ ହାର୍ଡୱେର ଶ୍ରମିକ, କ୍ୟାପିଟାଲ ସାମଗ୍ରୀ, ଶିକ୍ଷା, ସ୍ବାସ୍ଥ୍ୟ, ଖୁଚୁରା ବ୍ୟବସାୟ, ପର୍ୟ୍ୟଟନ ଓ ଆତିଥେୟ, ଖାଦ୍ୟ ଉଦ୍ୟୋଗ ଏବଂ ଅହୁରି ବିଭିନ୍ନ ପେସା ଏବଂ କ୍ଷେତ୍ରର ଶ୍ରମିକମାନେ ଏହି ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି।

ପଞ୍ଜୀକରଣ କରିଥିବା ୬୫.୬୮ ପ୍ରତିଶତ ଶ୍ରମିକଙ୍କ ବୟସ ୧୬ରୁ ୪୦ ବର୍ଷ ମଧ୍ୟରେ ଏବଂ ୩୪.୩୨ ପ୍ରତିଶତ ଶ୍ରମିକଙ୍କ ବୟସ ୪୦ ବର୍ଷ କିମ୍ବା ତଦୁର୍ଦ୍ଧ୍ବ ରହିଛି। ଅନ୍ୟାନ୍ୟ ପଛୁଆ ବର୍ଗ ଏବଂ ସାଧାରଣ ବର୍ଗରୁ ଯଥାକ୍ରମେ ୪୩ ଏବଂ ୨୭ ପ୍ରତିଶତ ଶ୍ରମିକ ପଞ୍ଜୀକରଣ କରିଛନ୍ତି। ସେହିପରି ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗରୁ ଯଥାକ୍ରମେ ୨୩ ଏବଂ ୭ ପ୍ରତିଶତ ଶ୍ରମିକ ପଞ୍ଜୀକରଣ କରିଛନ୍ତି।