କେନ୍ଦୁଝରରେ ଅଭାବନୀୟ ଘଟଣା, ପୁଅକୁ ଲଙ୍ଗଳା କରି ପିଠିରେ ଗଧ ଲେଖି ଘରୁ ବିଦା କଲେ ବାପା

କେନ୍ଦୁଝରରେ ଅଭାବନୀୟ ଘଟଣା, ପୁଅକୁ ଲଙ୍ଗଳା କରି ପିଠିରେ ଗଧ ଲେଖି ଘରୁ ବିଦା କଲେ ବାପା

କେନ୍ଦୁଝରରେ ଅଭାବନୀୟ ଘଟଣା, ପୁଅକୁ ଲଙ୍ଗଳା କରି ପିଠିରେ ଗଧ ଲେଖି ଘରୁ ବିଦା କଲେ ବାପା
ତେଲକୋଇ: ପାଠ ଭୁଲ୍ କରିବାରୁ ୭ ବର୍ଷର ପୁଅକୁ ନିସ୍ତୁକ ମାଡ଼ ମାରି ପିଠିରେ ଗଧ ଲେଖି ଘରୁ ବାହାର କରିଦେବା ଅଭିଯୋଗରେ ସଂପୃକ୍ତ ବାପାଙ୍କୁ ପୁଲିସ ଗିରଫ କରିଛି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ । ଉଚ୍ଚଶିକ୍ଷିତ ପରିବାରରେ ଏଭଳି ଘଟଣା ଘଟିଥିବାରୁ ବିଭିନ୍ନ ମହଲରେ ଏହାକୁ ନାପସନ୍ଦ କରାଯାଇଛି । ବାପା ଅଶ୍ୱିନୀ ପାତ୍ର ଏକ ଜାତୀୟକରଣ ବ୍ୟାଙ୍କର ଅଧିକାରୀ ହୋଇଥିବା ବେଳେ ତାଙ୍କ ମା ଡା. ଦୀପ୍ତିମୟୀ ବଢ଼େଇ ହେଉଛନ୍ତି ଜଣେ ପ୍ରାଣୀ ଚିକିତ୍ସା ଅଧିକାରୀ । ଅଶ୍ୱିନୀ ଓ ଦୀପ୍ତିମୟୀଙ୍କ ଏକମାତ୍ର ପୁଅ ଦନ୍ଦୁଆମୁଣ୍ଡା ବନଫୁଲ ଇଂରାଜୀ ମାଧ୍ୟମ ସ୍କୁଲର ପ୍ରଥମ ଶ୍ରେଣୀର ଛାତ୍ର । ପୁଅ ପାଠ ଭୁଲ କରିବାରୁ ବାପା ଅଶ୍ୱିନୀ ତାଙ୍କୁ ଗତକାଲିଠାରୁ ମାଡ଼ ମାରୁଥିଲେ । ମଙ୍ଗଳବାର ପୂର୍ବାହ୍ନରେ ଅଶ୍ୱିନୀ ପୁଅକୁ ପୁଣି ମାଡ଼ ମାରିଥିଲେ । କେବଳ ସେତିକି ନୁହେଁ – \"ତା ଦ୍ୱାରା ପାଠ ହେବନାହିଁ, ଲଙ୍ଗଳା ହୋଇ ଭିକ ମାଗିବୁ ଯା\' କହି ଘରୁ ବାହାର କରିଦେଇଥିଲେ । ପିଲାଟି ଲଙ୍ଗଳା ହୋଇ ଭୟରେ କାନ୍ଦି କାନ୍ଦି ତେଲକୋଇ ବଜାର ଆଡ଼କୁ ଦୌଡ଼ୁଥିବା ବେଳେ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ସ୍ଥାନୀୟ କେତେକ ଲୋକ ତାକୁ ଧରି ପୁଲିସକୁ ଖବର ଦେଇଥିଲେ । ପିଲାଟିର ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହେବାସହ ବାମହାତ ପାପୁଲିରେ ଶକ୍ତ ଆଘାତ ଲାଗିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାକୁ ଉଦ୍ଧାର କରିବା ସହ ଶିଶୁ ସୁରକ୍ଷା ଆଇନ-୭୫ରେ ଏକ ମାମଲା ନିଜ ଆଡ଼ୁ ରୁଜୁ କରି ଅଭିଯୁକ୍ତ ବାପା ଅଶ୍ୱିନୀଙ୍କୁ ଗିରଫ କରିଛି । ଏନେଇ ଅଶ୍ୱିନୀଙ୍କୁ ପଚାରିବାରୁ, ପୁଅ ମିଛ କହିବା ସହ ପାଠ ଭୁଲ୍ କରିବାରୁ ତାକୁ ତାଗିଦ କରିଥିଲି । କିଛି ଲାକ ଅଯଥା ଝାମେଲା ସୃଷ୍ଟି କରୁଛନ୍ତି ବୋଲି କହିଛନ୍ତି । ମା’ଦୀପ୍ତିମୟୀଙ୍କୁ ପଚାରିବାରୁ, ଆମ ପରିବାର କଥା ଆମେ ବୁଝିବୁ । ଏଥିରେ କେହି ମୁଣ୍ଡ ପୁରାନ୍ତୁ ନାହିଁ ବୋଲି କହିଥିଲେ । ପିଲାଟିକୁ ମା\' ଦୀପ୍ତୀମୟୀଙ୍କୁ ହସ୍ତାନ୍ତର କରାଯାଇଛି ।