ଉଚ୍ଚଶିକ୍ଷା ବିଭାଗର କଡ଼ା ଆଭିମୁଖ୍ୟ, ନଜରରେ ଅଛନ୍ତି ଟ୍ୟୁସନ ସାର୍

ଉଚ୍ଚଶିକ୍ଷା ବିଭାଗର କଡ଼ା ଆଭିମୁଖ୍ୟ, ନଜରରେ ଅଛନ୍ତି ଟ୍ୟୁସନ ସାର୍

ଉଚ୍ଚଶିକ୍ଷା ବିଭାଗର କଡ଼ା ଆଭିମୁଖ୍ୟ, ନଜରରେ ଅଛନ୍ତି ଟ୍ୟୁସନ ସାର୍
ଭୁବନେଶ୍ୱର: ରାଜ୍ୟରେ ଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଓ ଡିଗ୍ରି କଲେଜଗୁଡ଼ିକରେ ପ୍ରୋକ୍ଟୋରିଆଲ କମ ମେଣ୍ଟରିଂ ସିଷ୍ଟମକୁ ବାଧ୍ୟତାମୂଳକ କରାଯାଇଛି । ପ୍ରତି ଅଧ୍ୟାପକ, ପ୍ରାଧ୍ୟାପକ ଓ ପ୍ରଫେସରଙ୍କ ଅଧୀନରେ ପ୍ରତି କ୍ଲାସରୁ ୨୦ରୁ ୨୫ ଜଣ ଛାତ୍ରଛାତ୍ରୀ ରହିବେ । ସେମାନଙ୍କ ପାଠପଢ଼ା ସହ ଗୁଣାତ୍ମକ ଶିକ୍ଷା ଦିଗରେ ସମ୍ପୃକ୍ତ ଅଧ୍ୟାପକ, ପ୍ରଫେସରମାନେ ପଦକ୍ଷେପ ଗ୍ରହଣ କରିବେ । ପିଲାଙ୍କ ପାଠପଢ଼ାର ଅଗ୍ରଗତି ନେଇ ନିୟମିତ ଭାବେ ଅଭିଭାବକଙ୍କୁ ଜଣାଇବେ । ଏହି ପ୍ରୋକ୍ଟୋରିଆଲ ସିଷ୍ଟମକୁ ଲାଗୁ କରିବାକୁ ୬ ମାସ ତଳେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା । ତେବେ କିଛି ବିଶ୍ୱବିଦ୍ୟାଳୟ ଓ କଲେଜ ଏ ପର୍ଯ୍ୟନ୍ତ ପ୍ରୋକ୍ଟୋରିଆଲ ସିଷ୍ଟମକୁ କାର୍ଯ୍ୟକାରୀ କରି ନ ଥିବା ଜଣାପଡ଼ିଛି । ଯାହାକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଅସନ୍ତୋଷ ପ୍ରକାଶ କରିବା ସହ ମଙ୍ଗଳବାର ପୁଣିଥରେ କଡ଼ା ଚେତାବନୀ ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ଯେ ଏଣିକି ପ୍ରୋକ୍ଟୋରିଆଲ ସିଷ୍ଟମକୁ ଶିକ୍ଷାନୁଷ୍ଠାନରେ କଡ଼ାକଡ଼ି ଲାଗୁ କରାଯିବ । ଅଧ୍ୟାପକ ଓ ପ୍ରଫେସରଙ୍କ ଦରମାକୁ ପ୍ରୋକ୍ଟୋରିଆଲ ସିଷ୍ଟମରେ ଯୋଡ଼ିବାକୁ ବିଚାରବିମର୍ଶ କରାଯାଉଛି । ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇ ନଥିଲେ ମଧ୍ୟ ଆସନ୍ତା ଶିକ୍ଷାବର୍ଷଠାରୁ ଏହି ନିୟମ ଲାଗୁ କରିବାକୁ ଯୋଜନା ହୋଇଛି । ତେଣୁ ଯେଉଁ କଲେଜର ଅଧ୍ୟାପକ ଓ ପ୍ରଫେସରମାନେ ଏବେ ସୁଦ୍ଧା ପ୍ରୋକ୍ଟୋରିଆଲ ସିଷ୍ଟମକୁ ଲାଗୁ କରିନାହାନ୍ତି ସେମାନେ ଯେତେ ସମ୍ଭବ ଲାଗୁ କରିବାକୁ ସେ ପରାମର୍ଶ ଦେଇଛନ୍ତି । କିଛି ଦିନ ତଳେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜର ୧୧୧ ଜଣ ଅଧ୍ୟାପକ କୋଚିଂ ସେଣ୍ଟର, ଟ୍ୟୁସନରେ ପଢ଼ାଉଥିବା ନେଇ ଏକ ତାଲିକା ପ୍ରକାଶ ପାଇଥିଲା । ଏହାକୁ ନେଇ ମନ୍ତ୍ରୀ ପୁଣିଥରେ କଡ଼ା ଅଭିମୁଖ୍ୟ ପୋଷଣ କରିଛନ୍ତି । ସେ କହିଛନ୍ତି ଯେ ସରକାରଙ୍କ ନିର୍ଦେଶକୁ କିଏ କେଉଁଠି ଖିଲାପ କରୁଛନ୍ତି ତାହା ଉପରେ ନଜର ରଖାଯାଇଛି । ଯଦି କୌଣସି ଅଧ୍ୟାପକ ଟ୍ୟୁସନ କିମ୍ବା କୋଚିଂ ସେଣ୍ଟରରେ ପଢ଼ାଉଥିବା ପ୍ରମାଣ ମିଳେ ତାଙ୍କ ବିରୋଧରେ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସୋସିଆଲ ମିଡିଆରେ ଘୂରି ବୁଲୁଥିବା ୧୧୧ ଜଣ ଅଧ୍ୟାପକଙ୍କ ତାଲିକା ଉପରେ ମନ୍ତ୍ରୀ ଶ୍ରୀ ସାହୁ କୌଣସି ଉତ୍ତର ଦେଇ ନ ଥିଲେ ।