କଂଗ୍ରେସର ନୂଆ ସଭାପତି ଚୟନ ନିଷ୍ପତ୍ତି ଆଜି

କଂଗ୍ରେସର ନୂଆ ସଭାପତି ଚୟନ ନିଷ୍ପତ୍ତି ଆଜି

କଂଗ୍ରେସର ନୂଆ ସଭାପତି ଚୟନ ନିଷ୍ପତ୍ତି ଆଜି
ନୂଆଦିଲ୍ଲୀ : କଂଗ୍ରେସର ନୂତନ ସଭାପତି ଚୟନକୁ ନେଇ ଦୀର୍ଘଦିନ ଧରି ଅନିଶ୍ଚିତତା ଲାଗି ରହିଥିବା ବେଳେ ଆସନ୍ତାକାଳି ଏହାର ପରିସମାପ୍ତି ଘଟିବାକୁ ଯାଉଛି । କଂଗ୍ରେସର ନୂତନ ସଭାପତି ଚୟନ ପାଇଁ ଶନିବାର କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ୋହବ ଏବଂ ଏଥିରେ ନୂଆ ସଭାପତି ଚୟନ କରାଯିବ । ମହାରାଷ୍ଟ୍ର କଂଗ୍ରେସ ନେତା ମୁକୁଲ ୱାସନିକଙ୍କ ନାମ ଏହି ପଦ ପାଇଁ ସର୍ବାଧିକ ଚର୍ଚ୍ଚାରେ ରହିଛି । ମୁକୁଲ ଆଜି ସୋନିଆ ଗାନ୍ଧିଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ କଂଗ୍ରେସ ସଭାପତି ପଦରୁ ରାହୁଲ ଗାନ୍ଧି ଇସ୍ତଫା ଦେଇଥିଲେ । ଗାନ୍ଧି ପରିବାରରୁ କେହି ସଭାପତି ହେବେ ନାହିଁ ବୋଲି ରାହୁଲ ସ୍ପଷ୍ଟ କରିଦେଇଥିବାରୁ ଦୀର୍ଘ ଦୁଇ ଦଶନ୍ଧି ପରେ ଏବେ ଗାନ୍ଧି ପରିବାରରେ ବାହାରୁ କାହାକୁ କଂଗ୍ରେସ ସଭାପତି ପଦ ମିଳିବାକୁ ଯାଉଛି । ମହାରାଷ୍ଟ୍ରର ୫୯ ବର୍ଷୀୟ କଂଗ୍ରେସ ନେତା ମୁକୁଲ ୱାସୀନଙ୍କ ପିତା ବାଳକୃଷ୍ଣ ୱାସନିକ କଂଗ୍ରେସ ଟିକଟରେ ୩ ଥର ସାଂସଦ ନିର୍ବାଚିତ ହୋଇଥିଲେ । ମୁକୁଲ ମଧ୍ୟ ୪ ଥର ସାଂସଦ ନିର୍ବାଚିତ ହୋଇଛନ୍ତି । ସେ କେନ୍ଦ୍ରରେ ସାମାଜିକ ନ୍ୟାୟ ମନ୍ତ୍ରୀ ମଧ୍ୟ ରହିଥିଲେ । ଆଜି ସୋନିଆଙ୍କ ବାସଭବନରେ ଅନୁଷ୍ଠିତ ଏକ ବୈଠକରେ ବରିଷ୍ଠ ନେତା ଏ.କେ.ଆଣ୍ଟୋନି, ଅହମ୍ମଦ ପଟେଲ ଏବଂ କେଭି ବେଣୁ ଗୋପାଳ ପ୍ରମୁଖ ଉପସ୍ଥିତ ଥିଲେ । ଧାରା ୩୭୦ ହଟାଯିବା ନେଇ ତ୍ୟୋତିରାଦିତ୍ୟ ସିନ୍ଧିଆ, ମିଲିନ୍ଦ ଦେଓରା, କରଣ ସିଂହ, ଜନାର୍ଦ୍ଦନ ଦ୍ୱିବେଦୀ ପ୍ରମୁଖ ଖୋଲାଖୋଲି ସମର୍ଥନ କରିବା ଦଳ ପାଇଁ ଚିନ୍ତାର କାରଣ ହୋଇଛି । ଏଭଳି ସ୍ଥିତିରେ ନୂତନ ସଭାପତି ଚୟନରେ ଆଜି ଅଧିକ ବିଳମ୍ବ ନ କରିବାକୁ ଆଜି ସୋନିଆଙ୍କୁ ବରିଷ୍ଠ ନେତାମାନେ ପରାମର୍ଶ ଦେଇଥିବା ଜଣାପଡ଼ିଛି ।