ଓଡ଼ିଶାକୁ କେନ୍ଦ୍ରୀୟ ପାଣ୍ଠି କମିଛି: ନବୀନ

ଓଡ଼ିଶାକୁ କେନ୍ଦ୍ରୀୟ ପାଣ୍ଠି କମିଛି: ନବୀନ

ଓଡ଼ିଶାକୁ କେନ୍ଦ୍ରୀୟ ପାଣ୍ଠି କମିଛି: ନବୀନ
ଭୁବନେଶ୍ୱର: କେନ୍ଦ୍ର ବଜେଟ୍ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ରାଜ୍ୟର ହିତ ଦୃଷ୍ଟିରୁ ଶ୍ରୀ ପଟ୍ଟନାୟକ ବଜେଟ୍‌ରେ ନିଆଯାଇଥିବା କିଛି ପଦକ୍ଷେପକୁ ସ୍ୱାଗତ କରିଥିବା ବେଳେ କେନ୍ଦ୍ରୀୟ ଅନୁଦାନ କାଣ୍ଟଛାଣ୍ଟ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଉପେକ୍ଷା ନେଇ ଉଦବେଗ ପ୍ରକାଶ କରିଛନ୍ତି । କେନ୍ଦ୍ର ବଜେଟ୍‌ରେ କୃଷି ରେଳ, କୃଷି ଉଡାଣ, ସୋଲାର ପମ୍ପରେ ୨୦ ଲକ୍ଷ କୃଷକଙ୍କୁ ଅନ୍ତର୍ଭୁକ୍ତ କରିବା ଲକ୍ଷ୍ୟରେ ପିଏମ-କୁସୁମ ଆଦି ଯୋଜନାକୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଛନ୍ତି । ଏସବୁ ଯୋଜନା କୃଷି କ୍ଷେତ୍ର ପାଇଁ ସହାୟକ ହୋଇପାରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ଓଡ଼ିଶାର ଅନୁରୋଧ କ୍ରମେ କର୍ପୋରେଟ ଧାରାରେ ସମବାୟ କ୍ଷେତ୍ରକୁ ଶୁଳ୍କ ରିଆତିକୁ ସେ ସ୍ୱାଗତ କରିଛନ୍ତି । ଜମା ଉପରେ ୧ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୀମା ବୃଦ୍ଧି ଏବଂ ଶିକ୍ଷା କ୍ଷେତ୍ରରେ ନୂଆ ଶିକ୍ଷା ନୀତି ଓ ଏଫଡିଆଇ ଘୋଷଣାକୁ ମଧ୍ୟ ସେ ସ୍ୱାଗତ କରିଛନ୍ତି । ତେବେ କେନ୍ଦ୍ରୀୟ ପ୍ରାଯୋଜିତ ଯୋଜନାରେ ରାଜ୍ୟକୁ ମିଳୁଥିବା ସବୁ ପ୍ରକାର ଆର୍ଥିକ ଅନୁଦାନ ଅପରିବର୍ତ୍ତିତ ରଖାଯିବା ଉଦବେଗର ବିଷୟ ବୋଲି ସେ କହିଛନ୍ତି । କେନ୍ଦ୍ରୀୟ ଟିକସ ହସ୍ତାନ୍ତର ରାଶି ୫୯ ହଜାର କୋଟି ଟଙ୍କାରେ ସୀମିତ ରଖାଯାଇଛି । ଏହା ଫଳରେ ଓଡ଼ିଶାର ଭାଗ ପ୍ରାୟ ୩୦୦୦ କୋଟି ଟଙ୍କା କମିଯିବ । କେନ୍ଦ୍ର ବଜେଟ୍‌ରେ ପ୍ରସିଦ୍ଧ ଐତିହ୍ୟ ପର୍ଯ୍ୟଟନ ତଥା ଐତିହ୍ୟ କ୍ଷେତ୍ରକୁ ବିକଶିତ କରାଯିବାର ଯୋଜନା ଥିବା ବେଳେ ଏଥିରେ ଓଡ଼ିଶାର କୌଣସି ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର ସ୍ଥାନ ପାଇନାହିଁ । ଏ ବିଷୟରେ ପୂର୍ବରୁ ରାଜ୍ୟ ସରକାର କେନ୍ଦ୍ରରେ ହସ୍ତକ୍ଷେପ ଲୋଡ଼ିଥିଲେ । ଜାତୀୟ ଜନଜାତି ସଂଗ୍ରହାଳୟ ପାଇଁ ଓଡ଼ିଶା ଦାବିଦାର ଥିଲେ ମଧ୍ୟ ବଜେଟ୍‌ରେ ଦୃଷ୍ଟି ଦିଆଯାଇନଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି । ପାନୀୟ ଜଳ ଯୋଗାଣ ପାଇଁ ୩.୬ ଲକ୍ଷ କୋଟିର ଯୋଜନା ମଞ୍ଜୁର ପାଇଥିବା ବେଳେ ବଜେଟ୍‌ରେ ସାରା ଦେଶ ପାଇଁ ୧୧.୫୦୦ କୋଟିର ବ୍ୟୟବରାଦ ଅତି ନଗଣ୍ୟ । ବଜେଟ୍ ଦିନ ସେନସେକ୍ସ ହ୍ରାସ ଆହୁରି ଅନେକ ପଦକ୍ଷେପ ନେବାର ଆବଶ୍ୟକତା ଥିଲା ବୋଲି ସଂକେତ ଦେଉଛି । ବର୍ତ୍ତମାନ ପାଇଁ ସବୁଠୁ ବଡ଼ ଆହ୍ୱାନ ହେଉଛି ଅର୍ଥନୈତିକ ଅଭିବୃଦ୍ଧି । ତେଣୁ ନୂଆ ପୁଞ୍ଜିନିବେଶ ପାଇଁ ନିବେଶକାରୀଙ୍କ ଭିତରେ ବିଶ୍ୱାସ ଜନ୍ମାିବା ନିହାତି ଗୁରୁତ୍ୱପୂର୍ଣ୍ଣ । ନିଯୁକ୍ତି ସୁଯୋଗ ସୃଷ୍ଟି କ୍ଷେତ୍ରରେ ଏହାର ବିରାଟ ପ୍ରଭାବ ପଡ଼ିବା ସହିତ ଯୁବକଙ୍କ ପାଇଁ ଜୀବିକାର୍ଜନ ଓ ରୋଜଗାର ପନ୍ଥା ସୃଷ୍ଟି ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି ।