ରାଜ୍ୟପାଳଙ୍କୁ ରିପୋର୍ଟ ଦେଲେ ପଞ୍ଚମ ଅର୍ଥ ଆୟୋଗ

ରାଜ୍ୟପାଳଙ୍କୁ ରିପୋର୍ଟ ଦେଲେ ପଞ୍ଚମ ଅର୍ଥ ଆୟୋଗ

ଭୁବନେଶ୍ୱର: ପଞ୍ଚମ ଅର୍ଥ ଆୟୋଗ ରାଜ୍ୟପାଳଙ୍କୁ ଏହାର ରିପୋର୍ଟ ଶୁକ୍ରବାର ଦାଖଲ କରିଛି । ଅବସରପ୍ରାପ୍ତ ଆଇଏଏସ ରବି ନାରାୟଣ ସେନାପତିଙ୍କ ଅଧ୍ୟକ୍ଷତାରେ ପଞ୍ଚମ ଅର୍ଥ ଆୟୋଗ ୨୦୧୮ ମେ ମାସରେ ଗଠନ ହୋଇଥିଲା । ତେଣୁ ପ୍ରାୟ ୧୫ ମାସ ଭିତରେ ଆୟୋଗ ଏହାର ରିପୋର୍ଟକୁ ଦାଖଲ କରିବାରେ ସକ୍ଷମ ହୋଇଛି । ଶୁକ୍ରବାର ପୂର୍ବାହ୍ନରେ ଆୟୋଗର ଅଧ୍ୟକ୍ଷ ଓ ସଦସ୍ୟମାନେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ରାଜଭବନରେ ଭେଟି ଏହି ରିପୋର୍ଟ ପ୍ରଦାନ କରିଛନ୍ତି । ପ୍ରାୟ ୨୦୦ ପୃଷ୍ଠାରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି । ବିଧି ବ୍ୟବସ୍ଥା ଅନୁଯାୟୀ ଏହି ରିପୋର୍ଟ ରାଜ୍ୟପାଳ ପ୍ରଫେସର ଲାଲ ରାଜ୍ୟ ସରକାରଙ୍କ ନିକଟକୁ ପଠାଇବେ । ତାହା ପରେ ସରକାର ରିପୋର୍ଟକୁ ବିଭିନ୍ନ ଦିଗରୁ ଅନୁଧ୍ୟାନ କରିବେ । ଏହା ପରେ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହେବ । ତାହା ପରେ ଉକ୍ତ ରିପୋର୍ଟକୁ ସାର୍ବଜନୀନ କରାଯିବ । ମୁଖ୍ୟତଃ ସମ୍ବିଧାନର ୭୩ତମ ଏବଂ ୭୪ ତମ ସଂଶୋଧନ ଅନୁଯାୟୀ ପଞ୍ଚୟତିରାଜ ଏବଂ ପୌରସଂସ୍ଥା ଗୁଡ଼ିକ ଆୟୋଗ ଅର୍ଥ ପ୍ରଦାନ ପାଇଁ ତାଙ୍କ ରିପୋର୍ଟର ସୁପାରିଶ କରିଥାନ୍ତି । ଏଥିପାଇଁ ସରକାର ଟିଓଟି (ଟର୍ମସ ଅଫ ରେଫରେନ୍ସ) ମଧ୍ୟ ପ୍ରଦାନ କରିଥିଲେ । ପଞ୍ଚମ ଅର୍ଥ ଆୟୋଗଙ୍କ ରିପୋର୍ଟ ୫ ବର୍ଷ ନିମନ୍ତେ କାର୍ଯ୍ୟକାରୀ ହେବ । ୨୦୨୦ ଏପି୍ରଲ ପହିଲାରୁ ଏହାର କାର୍ଯ୍ୟକାଳ ଆରମ୍ଭ ହୋଇ ୨୦୨୫ ମାର୍ଚ୍ଚ ୩୧ ତାରିଖରେ ସରିବ । ଆୟୋଗର ସୁପାରିଶ ଆଧାରରେ ପଞ୍ଚାୟତିରାଜ ସଂସ୍ଥା ଯଥା ଗ୍ରାମ ପଞ୍ଚାୟତ, ଜିଲ୍ଲା ପରିଷଦ ଏବଂ ପୌରସଂସ୍ଥା ଯଥା ରାଜ୍ୟର ୫ଟି ମହାନଗର ନିଗମ, ପୌର ନିଗମ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ିକୁ ଅର୍ଥ ପ୍ରଦାନ କରାଯିବ । ମିଳିଥିବା ସୂଚନା ଅନୁଯାୟୀ ୩ଟି ହେଡ ଯଥା ରିଭୋଲୁ୍ୟସନ ବା ଟିକସ ଆବଣ୍ଟନ, ଆସାଇନମେଣ୍ଟ ବା ପଞ୍ଚାୟତିରାଜ ସଂସ୍ଥା ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ ଏବଂ ଗ୍ରାଣ୍ଟ ଇନ ଏଡ୍ ବା ସହାୟତା ଆକାରରେ ଅର୍ଥ ପ୍ରଦାନ କରିବା ପାଇଁ ସୁପାରିଶ କରିଛନ୍ତି । ଆୟୋଗ ଏହାର ୧୮ ମାସ କାର୍ଯ୍ୟକାଳ ମଧ୍ୟରେ ଆୟୋଗର ଅଧ୍ୟକ୍ଷ ଏବଂ ସଦସ୍ୟମାନେ ଗ୍ରାମାଞ୍ଚଳର ବିଭିନ୍ନ ପଞ୍ଚାୟତ ଏବଂ ସହରାଞ୍ଚଳର ପୌରସଂସ୍ଥା ଗୁଡ଼ିକୁ ଯାଇ ସେଠାରେ ନିର୍ବାଚିତ ପ୍ରତିନିଧି ଏବଂ ଅଧିକାରୀମାନଙ୍କ ସହିତ ବ୍ୟାପକ ବିଚାର ବିମର୍ଶ କରିଥିଲେ । ବିଚାର ବିମର୍ଶ ବେଳେ ଆୟୋଗକୁ ଅନେକ ଗୁରୁତ୍ୱପୂର୍ଣ୍ଣ ମତାମତ ମିଳିଥିଲା । ପଞ୍ଚମ ଆୟୋଗର ଅଧ୍ୟକ୍ଷ ଅବସରପ୍ରାପ୍ତ ଆଇଏଏସ ରବି ନାରାୟଣ ସେନାପତି ରହିଥିବା ବେଳେ ଏହାର ସଦସ୍ୟ ଭାବେ ପ୍ରଫେସର ସାମସନ ମହାରଣା, ଏକ୍ସଆଇଏମବିର ପ୍ରଫେସର ଅସିତ ମହାନ୍ତି ରହିଥିଲେ । ଏତଦବ୍ୟତୀତ ପଞ୍ଚାୟତିରାଜ ଏବଂ ମୁ୍ୟନିସିପାଲଟି ନିଦେ୍ର୍ଧଶକ ଆୟୋଗର ଏକ୍ସ ଅଫିସିଓ ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ । ଉଲ୍ଲେଖ ଯୋଗ୍ୟ ପୂର୍ବରୁ ଅବସରପ୍ରାପ୍ତ ଆଇଏଏସ ଚିନ୍ମୟ ବସୁଙ୍କ ଅଧ୍ୟକ୍ଷତାରେ ଚତୁର୍ଥ ଅର୍ଥ ଆୟୋଗ ଗଠନ ହୋଇଥିଲା । ଆୟୋଗ କରିଥିବା ସୁପାରିଶ ଅନୁଯାୟୀ ଏବେ ପଞ୍ଚାୟତିରାଜ ସଂସ୍ଥା ଏବଂ ପୌରସଂସ୍ଥା ଗୁଡ଼ିକୁ ରାଜ୍ୟ ସରକାର ରାଜସ୍ୱ ଆବଣ୍ଟନ କରିଆସୁଛନ୍ତି । ଏହି ଆୟୋଗ ୨୦୧୫ ଏପି୍ରଲ ପହିଲାରୁ ୨୦୨୦ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ୫ ବର୍ଷ ପାଇଁ ବିଭିନ୍ନ ସୁପାରିସ ମାନ କରିଥିଲା । ରାଜ୍ୟରେ ସେହି ସୁପାରିସ ଏବେ କାର୍ଯ୍ୟକାରୀ ହେଉଛି ।